ଭବାନୀପାଟଣା,୨୦।୫(ଉତ୍ତମ କୁମାର ଦାଶ): ଅନଲାଇନ୍ରେ ଔଷଧ ବିକ୍ରି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ସହ ବିଭିନ୍ନ ଦାବି ନେଇ ବୁଧବାର ସାରା ଭାରତବର୍ଷରେ ଔଷଧ ଦୋକାନ ବନ୍ଦ ଡାକରା ଦିଆଯାଇ ଥିଲା । ଏହି କ୍ରମରେ କଳାହାଣ୍ଡି ଜିଲାରେ ମଧ୍ୟ “କଳାହାଣ୍ଡି କେମିଷ୍ଟ୍ ଏଣ୍ଡ ଡ୍ରଗିଷ୍ଟ୍ ଏସୋସିଏସନ୍” ତରଫରୁ ସମସ୍ତ ଔଷଧ ଦୋକାନ ବନ୍ଦ ଡାକରା ଦିଆ ଯାଇଥିଲା । ଯାହାର ପ୍ରଭାବ କଳାହାଣ୍ଡି ଜିଲାରେ ପୂର୍ଣ୍ଣ ମାତ୍ରାରେ ଦେଖା ଦେଇଛି ।
ସଂଘର ଅଭିଯୋଗ ଅନୁଯାୟୀ, ବେଆଇନ ଭାବେ ଚାଲିଥିବା ଇ-ଫାର୍ମାସି ବା ଅନଲାଇନ୍ ଔଷଧ ବ୍ୟବସାୟ ଯୋଗୁଁ ପାରମ୍ପରିକ ଔଷଧ ବ୍ୟବସାୟୀମାନେ ଜୀବିକା ହରାଇବା ସହ ଗ୍ରାହକମାନେ ନକଲି ଔଷଧର ଶିକାର ହେବାର ଆଶଙ୍କା ରହିଛି । ଏନେଇ କଳାହାଣ୍ଡି କେମିଷ୍ଟ୍ ଏଣ୍ଡ ଡ୍ରଗିଷ୍ଟ୍ ଏସୋସିଏସନ୍ ସଭାପତି ଅଶୋକ ରାଉତ କହିଛନ୍ତି ଯେ, ପ୍ରଥମେ ମୁଁ ଧନ୍ୟବାଦ୍ ଦେବି ଆମର ସମସ୍ତ କେମିଷ୍ଟ୍ ଭାଇମାନଙ୍କୁ କାରଣ ଏହି ବନ୍ଦ ବହୁତ ସଫଳ ହୋଇଛି। ଆମ ସହିତ ଦୱା ଇଣ୍ଡିଆ ଓ ଜନ ଔଷଧି ମଧ୍ୟ ସମର୍ଥନ ଜଣାଇ ଆନ୍ଦୋଳନ ଓହ୍ଲାଇଛନ୍ତି । ଗାଁ ଗାଁରେ ଗଳିକନ୍ଦିରେ ଆଜି ଏହି ବନ୍ଦକୁ ସମର୍ଥନ କରିଛନ୍ତି । ଆଉ ଏହି ବନ୍ଦ ଯୋଗୁଁ ବର୍ତ୍ତମାନ ସୁଦ୍ଧା ସାଧାରଣ ଜନତା ସମସ୍ୟାର ସମ୍ମୁଖୀନ ହୋଇନାହାନ୍ତି ।
ଏହି ବନ୍ଦ୍ ସଫଳ ହେବ ନ ହେବ ତାହା ସରକାରଙ୍କ ଉପରେ ଅଛି, ଆମେ ଆମ କାମ କରିଛୁ। ଆଗମୀ ଦିନରେ ଯଦି ଦାବି ପୂରଣ ନ ହେବ ତେବେ ଆନ୍ଦୋଳନ ତୀବ୍ର ହେବ ବୋଲି ସେ ପ୍ରକାଶ କରିଛନ୍ତି ।