ମେଡିକାଲ ଅକ୍ସିଜେନ୍‌

ହସ୍‌ପିଟାଲରେ ବ୍ୟବହୃତ ଅକ୍ସିଜେନ୍‌ ସିଲିଣ୍ଡର : ସାଧାରଣତଃ କୌଣସି ହସ୍‌ପିଟାଲରେ ବ୍ୟବହୃତ ଅକ୍ସିଜେନ୍‌ ସିଲିଣ୍ଡରର କ୍ଷମତା ୭ ଘନ ମିଟର (୭ କ୍ୟୁବିକ ମିଟର) ହୋଇଥାଏ, ଯାହାର ଉଚ୍ଚତା ପ୍ରାୟ ୪.୫ ଫୁଟ। ଏହାର ଆୟତନ ମାତ୍ର ୪୭ ଲିଟର ହୋଇଥିଲାବେଳେ ଉଚ୍ଚ ଚାପରେ ଏଥିରେ ୭୦୦୦ ଲିଟର ପର୍ଯ୍ୟନ୍ତ ଅକ୍ସିଜେନ୍‌ ଗ୍ୟାସ୍‌ ଭର୍ତ୍ତି କରାଯାଇପାରେ। ଏଭଳି ଏକ ୭ ଘନ ମିଟର କ୍ଷମତା ସମ୍ପନ୍ନ ଅକ୍ସିଜେନ୍‌ ସିଲିଣ୍ଡରରେ ଜଣେ ରୋଗୀଙ୍କୁ କ୍ରମାଗତ ୨୦ ଘଣ୍ଟା ପର୍ଯ୍ୟନ୍ତ ଅକ୍ସିଜେନ୍‌ ଯୋଗାଣ କରାଯାଇପାରେ।
ସର୍ବଭାରତୀୟ ଔଦ୍ୟୋଗିକ ଗ୍ୟାସ ଉତ୍ପାଦକ ସଂଘଙ୍କ ସୂଚନା ଅନୁସାରେ ଏକ ୭ ଘନ ମିଟର କ୍ଷମତାସମ୍ପନ୍ନ ଅକ୍ସିଜେନ୍‌ ସିଲିଣ୍ଡରକୁ ସମ୍ପୂର୍ଣ୍ଣ ଭରିବା ପାଇଁ ଅତି ବେଶୀରେ କୌଣସି ହସ୍ପିଟାଲ ପାଇଁ ୩୫୦ ଟଙ୍କା ଖର୍ଚ୍ଚ ହୋଇଥାଏ।
ଦେଶରେ ମେଡିକାଲ ଅକ୍ସିଜେନ୍‌ର ଅଭାବ କାହିଁକି : କରୋନା ମହାମାରୀ ପୂର୍ବରୁ ଦେଶରେ ଦୈନିକ ୧୦୦୦ ରୁ ୧୨୦୦ ମେଟ୍ରିକ ଟନ୍‌ ମେଡିକାଲ ଅକ୍ସିଜେନ୍‌ ଖର୍ଚ୍ଚ ହେଉଥିଲା ବେଳେ ଏହା ଏପ୍ରିଲ ୧୫ ତାରିଖ ବେଳକୁ ବୃଦ୍ଧିପାଇ ୪୭୯୫ ମେଟ୍ରିକ ଟନ୍‌ ମୂଲ୍ୟରେ ପହଞ୍ଚତ୍ଥିଲା। ସର୍ବଭାରତୀୟ ଔଦ୍ୟୋଗିକ ଗ୍ୟାସ ଉତ୍ପାଦକ ସଂଘଙ୍କ ସୂଚନା ଅନୁସାରେ, ଏପ୍ରିଲ୍‌ ୧୨ ତାରିଖ ବେଳକୁ ଦେଶରେ ଦୈନିକ ୩୮୪୨ ମେଟ୍ରିକ ଟନ୍‌ ମେଡିକାଲ ଅକ୍ସିଜେନ୍‌ ଯୋଗାଣ ହେଉଥିଲା; ମାତ୍ର ଏବେ ମହାମାରୀର ଦ୍ବିତୀୟ ଲହର ପରିସ୍ଥିତିରେ ମେଡିକାଲ ଅକ୍ସିଜେନର ଚାହିଦା ଦ୍ରୁତ ବୃଦ୍ଧି ପାଇଥିବାରୁ ଏହାର ଯୋଗାଣ ଏକ ସମସ୍ୟା ସୃଷ୍ଟି କରିଛି। ସମଗ୍ର ଦେଶରେ ତରଳ ଅକ୍ସିଜେନ୍‌ ବିତରଣକାରୀ ସଂସ୍ଥାଙ୍କ ନିକଟରେ ପହଞ୍ଚାଇବା ପାଇଁ ମାତ୍ର ୧୨୦୦ ରୁ ୧୫୦୦ ସଂଖ୍ୟକ କ୍ରାୟୋଜେନିକ ଟ୍ୟାଙ୍କର ରହିଛି, ଯାହା ଦୈନିକ ୩ ଲକ୍ଷରୁ ଊଦ୍ଧର୍‌ବ ରୋଗୀଙ୍କ ଚାହିଦା ପୂରଣ କରିବା ପାଇଁ ପର୍ଯ୍ୟାପ୍ତ ନୁହେଁ। ସେହିପରି, ବିତରଣକାରୀଙ୍କ ସ୍ତରରେ ମଧ୍ୟ ତରଳ ଅକ୍ସିଜେନ୍‌ ଗ୍ୟାସୀୟ ରୂପରେ ପରିଣତ କରି ସିଲିଣ୍ଡରରେ ଭର୍ତ୍ତି କରି ଯୋଗାଣ କରିବା ନିମନ୍ତେ ଯଥେଷ୍ଟ ସଂଖ୍ୟକ ସିଲିଣ୍ଡର ଉପଲବ୍ଧ ନାହିଁ।

(ଶେଷ ଭାଗ)

ନିକୁଞ୍ଜ ବିହାରୀ ସାହୁ
-ଏଜୁକେଶନ୍‌ ଅଫିସର, ଆଞ୍ଚଳିକ
ବିଜ୍ଞାନ କେନ୍ଦ୍ର, ଭୋପାଳ, ମଧ୍ୟପ୍ରଦେଶ
ମୋ : ୮୯୧୭୬୩୭୯୭୪