ଏମ୍‌କେସିଜିରେ ଚିକିତ୍ସା ଅବହେଳା

ବ୍ରହ୍ମପୁର ଅଫିସ,୧୭ା୧: ବ୍ରହ୍ମପୁର ବଡ ମେଡିକାଲ (ଏମ୍‌କେସିଜି)ରେ ଚିକିତ୍ସା ଅବହେଳାକୁ ନେଇ ଗୋଟିଏ ପରେ ଗୋଟିଏ ଅଘଟଣ ଘଟୁଥିବା ଅଭିଯୋଗ ହୋଇଆସୁଛି। ସୋମବାର ଏମ୍‌କେସିଜିରେ ଚିକିତ୍ସିତ ହେଉଥିବା ଜଣେ ବୃଦ୍ଧାଙ୍କର ଅବହେଳାରୁ ମୃତ୍ୟୁ ଘଟିଛି। ମୃତ ବୃଦ୍ଧା ଜଣଙ୍କ ଶୈଳବାଳା ପଟ୍ଟନାୟକ(୭୪)। ଚିକିତ୍ସା ଅବହେଳା ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ନେଇ ଝିଅ ଓ ପୁଅଙ୍କ ସମେତ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।
ପ୍ରକାଶ ଯେ, ଶ୍ରୀରାମ ନଗର ଦ୍ୱିତୀୟ ଲାଇନ୍‌ରେ ରହୁଥିବା ଶୈଳବାଳାଙ୍କ ଦେହ ଖରାପ ଯୋଗୁ ୩ ଦିନ ପୂର୍ବେ ତାଙ୍କୁ ଏମ୍‌କେସିଜି କାଜୁଆଲଟିରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଇନ୍‌ଡୋରରେ ଭର୍ତ୍ତି କରାଯାଇଥିଲା। ପିଏମ୍‌ଆର କୋଠା ଚତୁର୍ଥ ମହଲା ଶୈଳବାଳା ଥିଲେ। କିନ୍ତୁ ସେଠାରେ ତାଙ୍କୁ ଠିକ୍‌ ଭାବେ ଚିକିତ୍ସା କରାଯାଇ ନ ଥିଲା। କେବଳ କେତେକ ପିଜି ଡାକ୍ତର ତାଙ୍କର ଚିକିତ୍ସା କରୁଥିବା ବେଳେ କୌଣସି ବରିଷ୍ଠ କିମ୍ବା ପ୍ରଫେସରମାନେ ଚିକିତ୍ସା କରିନଥିଲେ। ରାତିରେ ଜରୁରୀକାଳୀନ ପରିସ୍ଥିତିରେ ଡାକ୍ତର ଓ ନର୍ସମାନଙ୍କ ଦେଖା ମିଳୁନଥିଲା। ବାରାମ୍ବାର ଡାକିବା ପରେ ବହୁ କଷ୍ଟରେ ସେମାନେ ରୋଗୀଙ୍କ ପାଖକୁ ଆସୁଥିବା ଝିଅ ମମତା ଅଭିଯୋଗ କରିଛନ୍ତି। ତେବେ ସୋମବାର ଅପରାହ୍ନ ପ୍ରାୟ ୪ଟାରେ ହଠାତ୍‌ ଶୈଳବାଳାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁକୁ ନେଇ ତାଙ୍କ ସମ୍ପର୍କୀୟମାନେ ଉତ୍‌କ୍ଷିପ୍ତ ହେବା ସହ ମେଡିକାଲରେ ରୋଗୀଙ୍କ ପ୍ରତି ହେଉଥିବା ଦୁର୍ବ୍ୟବହାର ଓ ଡାକ୍ତର ଆସୁନଥିବା ନେଇ ପାଟିତୁଣ୍ଡ କରିଥିଲେ। ପରେ ମମତା ଏନେଇ ଏମ୍‌କେସିଜି ଅଧୀକ୍ଷକ ପ୍ରଫେସର ଡାକ୍ତର ସନ୍ତୋଷ କୁମାର ମିଶ୍ରଙ୍କୁ ଜଣାଇଥିଲେ। ଅନ୍ୟପଟେ ଏମକେସିଜିରେ ପରିସ୍ଥିତି ସାମାନ୍ୟ ଉତ୍ତେଜନାପୂର୍ଣ୍ଣ ହେବା ପରେ ଫାଣ୍ଡି ପୋଲିସ ପହଞ୍ଚି ପରିବାର ଲୋକମାନଙ୍କୁ ବୁଝାସୁଝା କରିଥିଲା।