Categories: ଖେଳ

୩୭ତମ ଜାତୀୟ କ୍ରୀଡାରେ ପଦକ ବିଜେତାଙ୍କୁ ସମ୍ବର୍ଦ୍ଧିତ

ଭୁବନେଶ୍ୱର,୨୫ା୧୧(ସରୋଜ ଜେନା): ଗୋଆରେ ଅନୁଷ୍ଠିତ ୩୭ତମ ଜାତୀୟ କ୍ରୀଡାରେ ପଦକ ବିଜେତା ଖେଳାଳିମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଆର୍ଥତ୍କ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି। ଓଡ଼ିଶା କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ କ୍ରୀଡା ନିର୍ଦ୍ଦେଶକ ସିଦ୍ଧାର୍ଥ ଶଙ୍କର ଦାସ ଯୋଗ ଦେଇଥିଲେ। ଓଡ଼ିଶା ଖେଳାଳିମାନେ ଶ୍ରେଷ୍ଠ ପ୍ରଦର୍ଶନ କରିବା ସହିତ ୧୧ ସ୍ବର୍ଣ୍ଣ, ୧୮ ରୌପ୍ୟ ଓ ୩୧ ବ୍ରୋଞ୍ଜ ସହ ମୋଟ ୬୦ ପଦକ ଜିତିଥିଲେ।

ପୂର୍ବରୁ ସରକାର ସ୍ବର୍ଣ୍ଣ ପଦକ ପାଇଁ ୫ ଲକ୍ଷ, ରୌପ୍ୟ ପଦକ ପାଇଁ ୩ ଲକ୍ଷ ଓ ବ୍ରୋଞ୍ଜ ପଦକ ପାଇଁ ୨ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ଶୁକ୍ରବାର ୧୬୯ ଜଣ ଖେଳାଳିଙ୍କୁ ସମୁଦାୟ ୫ କୋଟି ୩୧ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯାଇଛି। ସ୍ବର୍ଣ୍ଣ ବିଜୟୀ ମହିଳା ଫୁଟବଲ ଦଳକୁ ୧.୦୫ କୋଟି ଟଙ୍କାର ପୁରସ୍କାର ଦିଆଯାଇଥିଲା। ଖୋ ଖୋ ମହିଳା ଓ ପୁରୁଷ ଦଳକୁ ୪୫ ଲକ୍ଷ ଟଙ୍କା ପୁରସ୍କାର ମିଳିଥିବା ବେଳେ ପୁରୁଷ ରଗ୍‌ବୀ ଦଳକୁ ୨୪ ଲକ୍ଷ ଟଙ୍କା ମିଳିଥିଲା। ତେବେ ବ୍ୟକ୍ତିଗତ ବର୍ଗରେ ମହିଳା ଜିମ୍ନାଷ୍ଟ ପ୍ରଣତି ନାୟକ ସର୍ବାଧିକ ୨୩ ଲକ୍ଷ ଟଙ୍କାର ଆର୍ଥତ୍କ ପୁରସ୍କାର ହାସଲ କରିଥିଲେ। ଚଳିତ ବର୍ଷ ଜାତୀୟ କ୍ରୀଡାରେ ରାଜ୍ୟ ଏହାର ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବେଳେ ଚମତ୍କାର ପ୍ରଦର୍ଶନ ପାଇଁ ମୁଁ ସମସ୍ତ ଆଥଲେଟଙ୍କୁ ଶୁଭେଚ୍ଛା ଜଣାଇବାକୁ ଚାହୁଁଛି ବୋଲି କହିଥିଲେ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା। ଏହା ରାଜ୍ୟରେ କ୍ରୀଡା ଓ କ୍ରୀଡାବିତ୍‌ଙ୍କ ଉନ୍ନତିରେ ସହାୟକ ହେଉଛି ବୋଲି ସେ ମତ ଦେଇଥିଲେ।

Share