Categories: ଜାତୀୟ

୧,୦୮୨ ପୋଲିସଙ୍କୁ ପଦକ…

ନୂଆଦିଲ୍ଲୀ, ୧୪।୮ : ସ୍ବାଧୀନତା ଦିବସ ଅବସରରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ସିଏପିଏଫ) ଏବଂ ରାଜ୍ୟ ପୋଲିସର ୧,୦୮୨ ପୋଲିସ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଛି। ସେମାନଙ୍କୁ ଗ୍ୟାଲେଣ୍ଟ୍ରି ସମେତ ବିଭିନ୍ନ ବର୍ଗର ସେବା ପଦକ ପ୍ରଦାନ କରାଯିବ।

ରବିବାର ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ ଗାଲାଣ୍ଟ୍ରି ପାଇଁ ୩୪୭ ପୋଲିସ ପଦକ, ବିଶିଷ୍ଟ ସେବା ପାଇଁ ୮୭ ରାଷ୍ଟ୍ରପତିଙ୍କ ପୋଲିସ ପଦକ ଏବଂ ସମ୍ମାନଜନକ ସେବା ପାଇଁ ୬୪୮ ପୋଲିସ ପଦକ ପ୍ରଦାନ କରାଯିବ।

କେନ୍ଦ୍ରୀୟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ କହିଛି ଯେ ଗ୍ୟାଲେଣ୍ଟ୍ରି ପାଇଁ ୩୪୭ ପଦକ ପାଇଁ ବିବେଚିତ ହୋଇଥିବା କର୍ମଚାରୀଙ୍କ ମଧ୍ୟରୁ ୨୦୪ ଜଣ ଜମ୍ମୁ-କଶ୍ମୀରର ଅଛନ୍ତି। ସେହିପରି ୮୦ ଜଣ ପୋଲିସ କର୍ମଚାରୀ ଉଗ୍ରବାଦ କିମ୍ବା ମାଓବାଦୀ ହିଂସାରେ ବୀରତା ପ୍ରଦର୍ଶନ କରିଥିଲେ। ଉତ୍ତର-ପୂର୍ବାଞ୍ଚଳରେ ୧୪ ଜଣ ପୋଲିସ କର୍ମଚାରୀଙ୍କୁ ବୀରତା ପାଇଁ ପୁରସ୍କୃତ କରାଯାଇଛି।

ଏଥର ସର୍ବାଧିକ ୧୦୯ ଗ୍ୟାଲେଣ୍ଟ୍ରି ପଦକ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ୍‌) କୁ ପ୍ରଦାନ କରାଯାଇଥିବା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ କହିଛି। ଏହା ପରେ ଜମ୍ମୁ-କଶ୍ମୀର ପୋଲିସକୁ ୧୦୮ ପଦକ, ସୀମା ସୁରକ୍ଷା ବଳ (ବିଏସଏଫ)କୁ ୧୯ ଏବଂ ଭାରତ-ତିବ୍ଦତୀୟ ସୀମା ପୋଲିସ (ଆଇଟିବିପି) ଏବଂ ସଶସ୍ତ୍ର ସୀମା ବଳ (ଏସଏସବି) ପ୍ରତ୍ୟେକଙ୍କୁ ୬ଟି ପଦକ ପ୍ରଦାନ କରାଯାଇଛି। ରାଜ୍ୟ ପୋଲିସ ଫୋର୍ସ ମଧ୍ୟରୁ ୪୨ ଟି ଗ୍ୟାଲେଣ୍ଟ୍ରି ପଦକ ମହାରାଷ୍ଟ୍ରକୁ ପ୍ରଦାନ କରାଯାଇଛି।

 

Share