ନିଜର ବୟସ ବଢ଼ିଯିବା ଓ ରାଜନୀତି ଏବେ ‘ଅତ୍ୟଧିକ ପ୍ରଦୂଷିତ’ ହୋଇଯାଇଥିବା ଦର୍ଶାଇ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ୭୯ ବର୍ଷୀୟ ସିଦ୍ଦାରାମୈୟା ୨୦୨୮ ବିଧାନସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି । ବୟସ ବଢ଼ିଯାଇଥିବାରୁ ଯୁବପିଢ଼ିଙ୍କୁ ରାଜନୀତି କ୍ଷେତ୍ରରେ ପ୍ରବେଶ କରିବା ଲାଗି ସ୍ଥାନ ସୃଷ୍ଟି କରିବା ବିଷୟରେ ଦୃଢ଼ୋକ୍ତି ପ୍ରକାଶ କରି କହିଥିଲେ ତାଙ୍କ ମାନ ବଢ଼ିଥାଆନ୍ତା। ମାତ୍ର ସେ ରାଜନୈତିକ ଜୀବନରେ ସବୁ ପ୍ରକାର କ୍ଷମତା ଓ ସୁବିଧା ଉପଭୋଗ କରିବା ପରେ ‘ରାଜନୀତି କଳୁଷିତ’ ହୋଇଯାଇଥିବା ଆଖ୍ୟା ଦେଇ କହିବା ଗ୍ରହଣୀୟ ହେଉନାହିଁ। କର୍ନାଟକରେ ୨୦୨୩ ବିଧାନସଭା ନିର୍ବାଚନରେ କଂଗ୍ରେସ କ୍ଷମତାକୁ ଆସିବାରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଡି. କେ. ଶିବକୁମାର ପ୍ରବଳ ପ୍ରଚେଷ୍ଟା କରିଥିଲେ। ରାଜନୈତିକ ବିଶ୍ଳେଷକମାନେ ଆକଳନ କରିଥିଲେ ଯେ, ଶିବକୁମାର ମୁଖ୍ୟମନ୍ତ୍ରୀ ହେବେ। ଅନେକଙ୍କ ମନେଥିବ ସେତେବେଳେ ରାଜ୍ୟର ଏହି ମୁଖ୍ୟ ସିଂହାସନରେ ବସିବାକୁ ନେଇ ସହଜରେ ଅଙ୍କ ଛିଣ୍ଡି ନ ଥିଲା। ବାରମ୍ବାର ହାଇକମାଣ୍ଡଙ୍କ ଡାକରା ସହ ସିଦ୍ଦାରାମୈୟା ଓ ଶିବକୁମାରଙ୍କ ସମର୍ଥକମାନେ ନିଜ ନେତାଙ୍କ ସପକ୍ଷରେ ମତ ଦେଇଚାଲିଥିଲେ। ବୟସ୍କଙ୍କୁ ଗୁରୁତ୍ୱ ଦେଇଆସିଥିବା କଂଗ୍ରେସ ହାଇକମାଣ୍ଡ କାଳେ କର୍ନାଟକରେ ଦଳ ବିଭାଜିତ ହୋଇଯିବ ସେହି ଆଶଙ୍କାରେ ଡି.କେ. ଶିବକୁମାରଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଦେଇ ସିଦ୍ଦାରାମୈୟାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଅବସ୍ଥାପିତ କରାଇଥିଲେ। ସମ୍ଭବତଃ ସିଦ୍ଦାରାମୈୟା କିଛି ବର୍ଷ ମୁଖ୍ୟମନ୍ତ୍ରୀ ରହିବା ପରେ ଶିବକୁମାରଙ୍କ କଥା ବିଚାର କରାଯିବ ବୋଲି ସେତେବେଳେ ପ୍ରତିଶ୍ରୁତି ଦିଆଯାଇଥିବା ଅନୁମାନ କରାଯାଇପାରେ। ତଦନୁଯାୟୀ ସିଦ୍ଦାରାମୈୟା ଗତ ମେ ୨୮ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଓ ତାଙ୍କ ସ୍ଥାନରେ ଶିବକୁମାର ଦାୟିତ୍ୱ ଗ୍ରହଣ କରିଥିଲେ। ଏଭଳି ନିଷ୍ପତ୍ତିରେ ସିଦ୍ଦାରାମୈୟା ଓ ତାଙ୍କ ସମର୍ଥକମାନେ ସନ୍ତୁଷ୍ଟ ହୋଇ ନ ଥିଲେ। କ୍ଷମତା ଆସନ ଚାଲିଯିବା ପରେ ସିଦ୍ଦାରାମୈୟା ମାନସିକ ଓ ଶାରୀରିକ ସ୍ତରରେ ଅସୁସ୍ଥ ଅନୁଭବ କରୁଥିବା ଏବର ତାଙ୍କ ଘୋଷଣାରୁ ଲକ୍ଷ୍ୟ କରାଯାଉଛି।
ଦେଖାଯାଉଛି କେବଳ ସିଦ୍ଦାରାମୈୟା ନୁହନ୍ତି, ଉଚ୍ଚ ପଦବୀରେ ରହି ଯେଉଁମାନେ ବୟସ୍କ ହୋଇଥାଆନ୍ତି ସେମାନଙ୍କର କ୍ଷମତା ଲୋଭ ସହଜରେ ଯାଇ ନ ଥାଏ। କ୍ୱଚିତ ବ୍ୟକ୍ତି ତାଙ୍କ ତଳ ପିଢ଼ିଙ୍କୁ ଦାୟିତ୍ୱ ଦେଇ ସହଯୋଗ କରିବାକୁ ଆସିଥାଆନ୍ତି। ସିଦ୍ଦାରାମୈୟାଙ୍କ ରାଜନୈତିକ କ୍ୟାରିୟର ଜନତା ଦଳ ଓ ଧର୍ମନିରପେକ୍ଷ ଜନତାଦଳ (ଜେଡିଏସ୍) ଦେଇ କଂଗ୍ରେସରେ ପହଞ୍ଚତ୍ଥିଲା। ବର୍ତ୍ତମାନ କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି) ସଦସ୍ୟ ଥିବା ସିଦ୍ଦାରାମୈୟା କର୍ନାଟକର ଦୁଇ ଥର ମୁଖ୍ୟମନ୍ତ୍ରୀ, ଥରେ ଉପମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଆସୀନ ହୋଇ ଆସିଥିଲେ। ଅଚାନକ ତାଙ୍କ ରାଜନୀତି ପ୍ରତି ମୋହଭଙ୍ଗ ଓ ରାଜନୀତି କଳୁଷିତ ହୋଇଯାଇଥିବା ଉଚ୍ଚାରଣ କରିବା ପଛରେ ଥିବା ଉଦ୍ଦେଶ୍ୟ ସାଧାରଣରେ ବୁଝି ହେଉଛି। ସିଦ୍ଦାରାମୈୟା ଏବେ ବି ଯଦି ମୁଖ୍ୟମନ୍ତ୍ରୀ ଆସନରେ ରହିଥାଆନ୍ତେ, ତାହା ହେଲେ ସେ ଏଭଳି କହି ନ ଥାଆନ୍ତେ ବୋଲି କୁହାଯାଇପାରେ। ଏବେ ସେ ଲୋକଙ୍କ ଦୁଃଖକଷ୍ଟ ବୁଝିବା ସହ ସେମାନଙ୍କ କଲ୍ୟାଣ ପାଇଁ ସ୍ବର ଭାବେ ଉଭା ହେବେ ବୋଲି କହିଛନ୍ତି। ପ୍ରଶ୍ନ ଉଠେ ସମଗ୍ର ରାଜନୈତିକ ଜୀବନରେ ସେ କାହାର ସେବା କରିଆସୁଥିଲେ।
ଜଣେ ବ୍ୟକ୍ତି ଜୀବନବ୍ୟାପୀ କୌଣସି ବୃତ୍ତିରୁ ସର୍ବାଧିକ ସମ୍ମାନ ଓ ସୁବିଧା ପାଇବା ପରେ ତାହାକୁ ନିନ୍ଦା କରିବା ଅର୍ଥ ନିଜର ନିଜତ୍ୱ ହରାଇ ବସିଛନ୍ତି ବୋଲି ଧରିନେବାକୁ ହେବ। ରାଜନୀତି ହେଉ ବା ଅନ୍ୟ ଯେକୌଣସି ବୃତ୍ତିରେ ଥିବା ବ୍ୟକ୍ତି ସମୟ ଅନୁଯାୟୀ ନିଜକୁ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରଖିବା ଉଚିତ। ଯେତେବେଳେ ସେ ଅନୁଭବ କରିବେ ଯେ ତାଙ୍କଠାରୁ ଅଧିକ ଦକ୍ଷ ବ୍ୟକ୍ତି ସୃଷ୍ଟି ହୋଇଗଲେଣି ସେତେବେଳେ ପଦବୀ ଛାଡ଼ି ସହଯୋଗର ହାତ ବଢ଼ାଇଦେବା ଦରକାର। କ୍ଷମତାରେ ଥିବା ବେଳେ ଯିଏ ବଡ଼ ତ୍ୟାଗ କରିଥାଆନ୍ତି, ତାହା ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ ସୃଷ୍ଟି କରିଥାଏ। ପାକୁଆ ପାଟିରେ ମାଂସ ଖାଇ ହେଉ ନ ଥିବା ଅନୁଭବ କରିବା ପରେ ନିଜକୁ ନିରାମିଷାଶୀ ଘୋଷଣା କରିବା ହାସ୍ପ୍ୟାସ୍ପଦ ମନେହୁଏ। ଆଉ କିଛି ବ୍ୟକ୍ତି ଅଛନ୍ତି ରାଜନୀତିରେ ନିଜର ପ୍ରୌଢ଼ତ୍ୱକୁ ସ୍ବୀକାର ନ କରି ଅନ୍ୟମାନଙ୍କ ପାଇଁ ବୟସର ସ୍ଲାବ୍ ନିର୍ଦ୍ଧାରଣ କରିଦେଇଥାଆନ୍ତି। ସେଭଳି ଲୋକଙ୍କୁ କେଉଁ ବର୍ଗରେ ରଖାଯିବା ଦରକାର ତାହାର ଗୋଟେ ସଂଜ୍ଞା ନିରୂପଣ କରିବା ଜରୁରୀ ହୋଇପଡ଼ିଲାଣି।