ପିକ୍‌ଅପ୍‌ ପଛରୁ ପିଟିଲା ଆମ୍ବୁଲାନ୍ସ: ୩ ଗୁରୁତର

ରୂପସା ,୨।୯(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ରୂପସା ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ମିରିଗିମୁଣ୍ତି ଛକ ନିକଟରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଆମ୍ବୁଲାନ୍ସର ଫାର୍ମାସିଷ୍ଟଙ୍କ ସମେତ ୩ ଜଣ ଗୁରୁତର  ହୋଇଛନ୍ତି।
ସୂଚନା ଅନୁସାରେ, ଭୋର ସମୟରେ ଏକ ପିକ୍‌ଅପ୍‌ ଯାହାକି ଜଳେଶ୍ୱରରୁ  ବାଲେଶ୍ୱର ଅଭିମୁଖେ ଯାଉଥିଲା । ଅନ୍ୟପକ୍ଷେ ଭୋଗରାଇ ବ୍ଲକ ଜଳେଶ୍ୱରପୁରରୁ ରୋଗୀ ନେଇ ବାଲେଶ୍ବର ଆସୁଥିବା ଏକ ୧୦୮ ଆମ୍ବୁଲାନ୍ସ ପିକ୍‌ଅପର ପଛପଟୁ ଆସୁଥିଲା। ଉକ୍ତ ପିକ୍‌ଅପଟି ମିରିଗିମୁଣ୍ଡି ଛକ ନିକଟରେ ହଠାତ ବ୍ରେକ୍‌ ମାରିବା ଯୋଗୁ ଆମ୍ବୁଲାନ୍ସଟି ପିକଅପ୍‌ର ପଛପଟୁ ଧକ୍କା ଦେଇଥିଲା। ଫଳରେ ଆମ୍ବୁଲାନ୍ସର ସାମ୍ନାରେ ବସିଥିବା ହେଲ୍‌ପର ଓ ଫାର୍ମାସିଷ୍ଟ ଗୁରୁତର ହୋଇଥିଲା ବେଳେ ଚାଳକ ଜଣକ ମଧ୍ୟ ଆହତ ହୋଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ୨ ଗୁରୁତରଙ୍କୁ ଅନ୍ୟ ଏକ ଆମ୍ବୁଲାନ୍ସରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା ବେଳେ ଚାଳକଙ୍କୁ ରୂପ୍‌ସା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ଦୁର୍ଘଟଣାରେ ଆମ୍ବୁଲାନ୍ସରେ ଥିବା ରୋଗୀ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ସେମାନଙ୍କୁ ମଧ୍ୟ ଅନ୍ୟ ଏକ ଆମ୍ବୁଲାନ୍ସରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଖବରପାଇ ରୂପସା ପୋଲିସ ପହଞ୍ଚି ୨ଟି ଗାଡିକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି।