ଖାଶୋଗୀ ହତ୍ୟାରେ ଏମ୍‌ବିଏସ୍‌ଙ୍କ ବିମାନ

ଓ୍ବାଶିଂଟନ, ୨୭।୨: ଓ୍ବାଶିଂଟନ ପୋଷ୍ଟର ସ୍ତମ୍ଭକାର ଜମାଲ ଖାଶୋଗୀ ହତ୍ୟାକାଣ୍ଡ ସହ ସାଉଦି ଆରବର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ୍‌ (ଏମ୍‌ବିଏସ୍‌) ସମ୍ପୃକ୍ତ ଥିବା ନେଇ ନୂଆ ରିପୋର୍ଟ ପ୍ରକାଶ ପାଇବା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ସାଉଦି ରାଜା ସଲମାନଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି। ୨୦୧୮ ଅକ୍ଟୋବରରେ ଇସ୍ତାନବୁଲସ୍ଥିତ ସାଉଦି ବାଣିଜି୍ୟକ ଦୂତାବାସରେ ଖାଶୋଗୀଙ୍କୁ ହତ୍ୟା କରାଯାଇଥିଲା। ନିକଟରେ କୋର୍ଟରେ ଦାଖଲ ହୋଇଥିବା ଦସ୍ତାବିଜ୍‌ ଅନୁଯାୟୀ ସାଉଦି ଆରବର ହତ୍ୟାକାରୀ ସ୍କ୍ବାଡ୍‌ ବ୍ୟବହାର କରିଥିବା ଦୁଇଟି ଘରୋଇ ବିମାନ କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ୍‌ଙ୍କ ଅଧୀନରେ ଥିଲା। ଏକ ଘରୋଇ କମ୍ପାନୀର ଉକ୍ତ ବିମାନକୁ କ୍ରାଉନ୍‌ ପ୍ରିନ୍ସ ଜବତ କରିଥିଲେ ବୋଲି ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି। ‘ଅତ୍ୟନ୍ତ ଗୋପନୀୟ’ ଲେଖାଥିବା ଉକ୍ତ ଦସ୍ତାବିଜ୍‌ରେ ସାଉଦିର ଜଣେ ମନ୍ତ୍ରୀ ସ୍ବାକ୍ଷର କରିଛନ୍ତି। ଏହି ମନ୍ତ୍ରୀ କ୍ରାଉନ୍‌ ପ୍ରିନ୍ସଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରିଥାନ୍ତି। କୋର୍ଟରେ ଦାଖଲ ଦସ୍ତାବିଜ୍‌ ଅନୁଯାୟୀ ୨୦୧୭ ଶେଷ ଭାଗରେ ସ୍କାଏ ପ୍ରାଇମ୍‌ ଆଭିଏଶନର ମାଲିକାନା ସାଉଦି ସରକାରଙ୍କ ୪୦୦ ବିଲିୟନ ଡଲାର ନିବେଶ ପାଣ୍ଠିକୁ ସ୍ଥାନାନ୍ତର କରାଯାଇଥିଲା। ଉକ୍ତ କମ୍ପାନୀର ବିମାନକୁ ଖାଶୋଗୀଙ୍କ ହତ୍ୟାରେ ବ୍ୟବହାର କରାଯାଇଥିଲା ବୋଲି ରିପୋର୍ଟ ପ୍ରକାଶ ପାଇଛି। ଉକ୍ତ ସରକାରୀ ନିବେଶ ପାଣ୍ଠିର ଅଧ୍ୟକ୍ଷ ହେଉଛନ୍ତି କ୍ରାଉନ୍‌ ପ୍ରିନ୍ସ। ବିମାନ ସହ କ୍ରାଉନ୍‌ ପ୍ରିନ୍ସଙ୍କ ସମ୍ପର୍କ ଥିବା ସାଉଦି ରାଷ୍ଟ୍ରାୟତ୍ତ କମ୍ପାନୀଗୁଡ଼ିକ ପକ୍ଷରୁ କାନାଡାରେ ସାଉଦି ଆରବର ପୂର୍ବତନ ମୁଖ୍ୟ ଗୋଇନ୍ଦା ଅଧିକାରୀ ସାଦ୍‌ ଅଲଜାବ୍ରିଙ୍କ ବିରୋଧରେ ଦାଏର ହୋଇଥିବା ଏମ୍ବେଜେଲ୍‌ମେଣ୍ଟ ସୁଟ୍‌ରେ ଦର୍ଶାଯାଇଛି।

Share