ରୋଚକ ହେବ ଲଢେଇ, ସାମ୍ନାସାମ୍ନି ହେବେ ଦୁଇବନ୍ଧୁ

ମୟୂରଭଞ୍ଜ,୩।୪: ମୁଣ୍ଡ ଉପରେ ନିର୍ବାଚନ। ଏନେଇ ଜୋରଦାର ପ୍ରସ୍ତୁତ ଆରମ୍ଭ କଲେଣି ବିଜେଡି, ଭାଜପା ଓ କଂଗ୍ରେସ। ବିଜେଡି ଓ ଭାଜପାର ପ୍ରାର୍ଥୀ ଘୋଷଣା ସରିଥିବାବେଳେ ଗତକାଲି ୪୭ ବିଧାନସଭା ଓ ୮ ଲୋକ ସଭା ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ନେତାଏ। କିନ୍ତୁ କୁହାଯାଉଛି ଏଥର ମୟୂରଭଞ୍ଜ ବିଧାନସଭା ଆସନ ରୋଚକ ହେବାକୁ ଯାଉଛି। କାରଣ ଏଥର ମଇଦାନକୁ ଓହ୍ଲାଇବେ ଦୁଇ ଘନିଷ୍ଠ ବନ୍ଧୁ। ଦୁଇ ବନ୍ଧୁଙ୍କ ମଧ୍ୟରେ ହେବ କାଣ୍ଟେ କା ଟକ୍କର। ମୟୂରଭଞ୍ଜ ଆସନରେ ବିଜେଡି ଓ ଭାଜପାର ଦୁଇ ପ୍ରାର୍ଥୀ ଲଢେଇ କରିବାକୁ ଯାଉଥିବାବେଳେ କଂଗ୍ରେସ ଏଯାଏଁ ପ୍ରାର୍ଥୀ ଘୋଷଣା କରିନାହିଁ। ତେବେ ଏହି ଦୁଇ ବନ୍ଧୁ ହେଲେ ବିଜେଡି ବିଧାୟକ ସୁଦାମ ମାରାଣ୍ଡି ଓ ଭାଜପା ବିଧାୟକ ନବଚରଣ ମାଝୀ। ସୁଦାମ ମାରାଣ୍ଡି ଏବେ ବିଜେଡିର ଗଣଶିକ୍ଷା ଓ ରାଜସ୍ୟ ମନ୍ତ୍ରୀ ଅଛନ୍ତି।

ମୟୂରଭଞ୍ଜ ଆସନରେ ହେବ ଜୋରଦାର ଲଢେଇ। ସାମ୍ନାସାମ୍ନି ହେବ ଦୁଇ ପୁରୁଣା ବନ୍ଧୁ ସୁଦାମ ଓ ନବଚରଣ। ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ)ରୁ ନିଜ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ଦୁଇ ନେତା ଚଳିତ ନିର୍ବାଚନରେ ପରସ୍ପର ବିରୋଧରେ ଲଢିବାକୁ ଯାଉଛନ୍ତି। ନବଚରଣ ରାଇରଙ୍ଗପୁରରୁ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବାବେଳେ ସୁଦାମ ବାଙ୍ଗିରପୋଷିରୁ ନିର୍ବାଚନ ଲଢିଥିଲେ। ପୂର୍ବରୁ ଦୁହେଁ ଗୋଟିଏ ଦଳରୁ ନିର୍ବାଚନ ଲଢୁଥିବାରୁ ଏଥର ଲଢେଇ ଉପରେ ସମସ୍ତଙ୍କର ନଜର କେନ୍ଦ୍ରୀଭୂତ ହୋଇ ରହିବ ବୋଲି ରାଜନୈତିକ ବିଶାରଦମାନେ ମତ ଦେଇଛନ୍ତି।