ମୟୂରଭଞ୍ଜ କାଇ ପିମ୍ପୁଡ଼ି ଚଟଣିକୁ ମିଳିବ ଜିଆଇ ଟ୍ୟାଗ୍‌ ମାନ୍ୟତା

ବାରିପଦା,୨ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାର କାଇ ପିମ୍ପୁଡ଼ି ଚଟଣିକୁ ଭୌଗୋଳିକ ପରିଚୟ(ଜିଆଇ ଟ୍ୟାଗ୍‌ ମାନ୍ୟତା) ମିଳିବା ଲାଗି ପଥ ପରିଷ୍କାର ହୋଇଛି। କାଇ ପିମ୍ପୁଡ଼ି ଚଟଣିରେ ଔଷଧୀୟ ଗୁଣ ରହିଥିବାରୁ ଏହାକୁ ଜିଆଇ ଟ୍ୟାଗ୍‌ ମାନ୍ୟତା ମିଳିବା ନେଇ ପ୍ରକ୍ରିିୟା ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଏହି ମାନ୍ୟତା ମିଳିଲେ ମୟୂରଭଞ୍ଜ ଜିଲା ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବ। ଏନେଇ ଜିଲାରେ ଖୁସିର ଲହରି ଖେଳିଯାଇଛି। ମୟୂରଭଞ୍ଜ କାଇ ସୋସାଇଟି କାଇ ଚଟଣିକୁ ଭୌଗୋଳିକ ପରିଚୟ ପ୍ରଦାନ ଲାଗି ଆବେଦନ କରିଥିବା ବେଳେ ଭୁବନେଶ୍ୱର ଓୟୁଏଟି ପକ୍ଷରୁ ଏହାକୁ ଉପସ୍ଥାପନ କରାଯାଇଥିଲା। ତେବେ ୩ ମାସ ମଧ୍ୟରେ ଏହି ମାନ୍ୟତା ପ୍ରଦାନ କରାଯିବ ବୋଲି ଓୟୁଏଟି ସୂତ୍ରରୁ ଜଣାପଡ଼ିଛି ା
ବଣ ଜଙ୍ଗଲ ପରିବେଷ୍ଟିତ ମୟୂରଭଞ୍ଜ ଜିଲାରେ ଆଦିବାସୀମାନଙ୍କର ଖାଦ୍ୟ ରୂପେ କାଇ ଚଟଣିର ଆଦର ରହିଛି। ଏହି ଖାଦ୍ୟରେ ଔଷଧୀୟ ଗୁଣ ଭରପୂର ରହିଥିବାରୁ ଏହାକୁ ସାଧାରଣ ଲୋକେ ମଧ୍ୟ ବ୍ୟବହାର କରିଥାନ୍ତି। କାଇ ପିମ୍ପୁଡ଼ିକୁ ଲୋକେ ସଂଗ୍ରହକରି ଚଟଣି ମାଧ୍ୟମରେ ଏହାକୁ ଖାଇଥାନ୍ତି। ଏହାକୁ ଖାଇଲେ ଥଣ୍ଡାଜନିତ ନିମୋନିଆ, ଶ୍ୱାସ ଆଦି ରୋଗରୁ ଉପଶମ ମିଳିଥାଏ। ଏପରିକି କୋଭିଡ୍‌-୧୯ ସମୟରେ ଏହି ଚଟଣିକୁ ବ୍ୟବହାରକରି ବହୁ ଆଦିବାସୀ ସମ୍ପ୍ରଦାୟର ଲୋକ କରୋନା ମହାମାରୀରୁ ଆଶ୍ୱସ୍ତି ଲାଭ କରିଥିବା କୁହାଯାଉଛି। ଏହି ଚଟଣି ଖାଇଲେ ଶରୀରରେ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ପାଇଥାଏ ା ଫଳରେ ଏହାର ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଇବା ସହ ହାଟବଜାରରେ ଏହାର ଚାହିଦା ବଢ଼ିଚାଲିଥିବା ଦେଖିବାକୁ ମିଳୁଛି। ବିଶେଷକରି ଆଦିବାସୀମାନେ ଏହାକୁ ପତ୍ରଠୋଲାରେ ବିକ୍ରିକରି ପରିବାର ଭରଣପୋଷଣ କରିଥାନ୍ତି ା