ବିଏସ୍‌ପିକୁ ଗୋଟିଏ ସିଟ୍‌

ଲକ୍ଷ୍ନୌ,୧୦।୩: ଉତ୍ତରପ୍ରଦେଶର ରାଜନୀତିରେ ୩ଦଶନ୍ଧି ଧରି ପ୍ରଭାବଶାଳୀ ଭୂମିକା ଗ୍ରହଣ କରିଥିବା ମୟାବତୀଙ୍କ ନେତୃତ୍ୱାଧୀନ ବହୁଜନ ସମାଜ ପାର୍ଟି (ବିଏସ୍‌ପି)କୁ ୨୦୨୨ ବିଧାନସଭା ନିର୍ବାଚନରେ ମାଟି କାମୁଡ଼ିବାକୁ ପଡ଼ିଛି। ଦଳିତ ରାଜନୀତିରେ ଏକଦା ଆଗରେ ରହିଥିବା ମାୟାବତୀ ଓ ତାଙ୍କ ଦଳ ଚଳିତ ଥର ନିର୍ବାଚନରେ ଖରାପ୍‌ ପ୍ରଦର୍ଶନ କରିଛି। ଗୁରୁବାର ହୋଇଥିବା ଭୋଟ ଗଣତିରେ ବିଏସ୍‌ପି ମାତ୍ର ଗୋଟିଏ ଆସନ ହାତେଇଥିବା ଜଣାପଡ଼ିଛି। ଯାହା ଦଳର ଆଗାମୀ ଭବିଷ୍ୟତ ବାବଦରେ ସ୍ପଷ୍ଟ ବାରି ହୋଇପଡ଼ୁଛି। ରାଜ୍ୟରେ ବିଏସ୍‌ପି ନିଜ ଭୋଟ ବ୍ୟାଙ୍କକୁ ବି ଆଉ ସମ୍ଭାଳି ପାରୁ ନ ଥିବା ଚର୍ଚ୍ଚା ହେଉଛି। ଗତ ୮ ବର୍ଷ ହେଲା ରାଜ୍ୟ ରାଜନୀତିରେ ବିଏସ୍‌ପି ନିମ୍ନଗାମୀ ହୋଇଥିବା ବେଳେ ଏବେ ସଙ୍କୁଚିତ ହୋଇଯାଇଛି। ସୂଚନା ମୁତାବକ, ୨୦୧୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଦଳ ୧୯ଟି ସିଟ୍‌ ଜିତିଥିଲା ଏବଂ ୨୧ ପ୍ରତିଶତରୁ ଅଧିକ ଭୋଟ ପାଇବାରେ ସଫଳ ହୋଇଥିଲା। କିନ୍ତୁ ଏଥର ବିଏସ୍‌ପି ୧୨.୭୯ ପ୍ରତିଶତ ଭୋଟ ସହିତ ମାତ୍ର ଗୋଟିଏ ବିଧାନସଭା ଆସନରେ ସୀମିତ ହୋଇଯାଇଛି। ୨୦୦୭ରେ ବିଏସ୍‌ପି ଉତ୍ତରପ୍ରଦେଶରେ ସରକାର ଗଠନ କରିଥିଲା। ସେହି ସମୟରେ ଦଳ ୨୦୬ଟି ଆସନ ସହ ୩୦.୪୩ ପ୍ରତିଶତ ଭୋଟରେ ବିଜୟୀ ଲାଭ କରିଥିଲା।

Share