Categories: ଫୁରସତ

ଆଗାମୀ ପିଢ଼ି ପାଇଁ ଜୀବନ୍ତ ରହୁ ପୃଥିବୀ

ଆମର ସବୁଜ ପୃଥିବୀ ଏବେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ପୃଥିବୀ ସାମ୍ନା କରୁଥିବା ସମସ୍ତ ସଙ୍କଟ ମଧ୍ୟରୁ ଅଧିକାଂଶ ମନୁଷ୍ୟ କୃତ। ଜନସଂଖ୍ୟା ବୃଦ୍ଧି, ଦ୍ରୁତ ଶିଳ୍ପାୟନ, ବିଶ୍ୱ ତାପନ ଆଦି ଜୀବନ୍ତ ପୃଥିବୀ ପାଇଁ ଆହ୍ବାନ ସୃଷ୍ଟି କରିଛି। ଆଧୁନିକତାର ବଶବର୍ତ୍ତୀ ହୋଇ କେତେକ ଦେଶ ନିଜନିଜ ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ନିମନ୍ତେ ଆଣବିକ ଅସ୍ତ୍ରଶସ୍ତ୍ର ନିର୍ମାଣ ଜାରି ରଖିଛନ୍ତି। ଅସ୍ତ୍ରଶସ୍ତ୍ର ନିର୍ମାଣ ତୁଳନାରେ ଏସବୁର ପରୀକ୍ଷଣ ପୃଥିବୀ ଲାଗି ମହାବିପଦ ସୃଷ୍ଟି କରୁଛି। ୧୯୪୫ ରୁ ୧୯୯୬ ମଧ୍ୟରେ ସମଗ୍ର ପୃଥିବୀରେ ୨ହଜାରରୁ ଉର୍ଦ୍ଧ୍ୱ ପରମାଣୁ ପରୀକ୍ଷଣ କରାଯାଇଛି। ପରମାଣୁ ପରୀକ୍ଷଣ ବିରୋଧରେ ଅନ୍ତର୍ଜାତୀୟ ଦିବସ ପାଳନ ନେଇ ସ୍ବୀକୃତି ପରେ ଏଥିରେ ସୁଧାର ଆସିଛି।
ସଚେତନତା ସୃଷ୍ଟି ପାଇଁ ୧୯୯୧ ଅଗଷ୍ଟ ୨୯ରେ କାଜାଖସ୍ତାନର ସେମିପାଲାଟିନ୍ସ ଆଣବିକ ପରୀକ୍ଷଣ ସ୍ଥାନକୁ ବନ୍ଦ କରିବା ଲାଗି ଉଦ୍ୟମ ଆରମ୍ଭ ହୋଇଥିଲା। ୨୦୦୯ ଡିସେମ୍ବର ୨ରେ ଜାତିସଂଘ ସାଧାରଣ ସଭାର ୬୪ ତମ ଅଧିବେଶନରେ ଆଣବିକ ନିରସ୍ତ୍ରୀକରଣ ନିମନ୍ତେ ଏକ ପ୍ରସ୍ତାବ ଆଗତ କରାଯାଇଥିଲା। ସର୍ବସମ୍ମତି କ୍ରମେ ଏହା ଗ୍ରହଣ ହୋଇଥିଲା। ତେଣୁ ପ୍ରତିବର୍ଷ ଅଗଷ୍ଟ ୨୯କୁ ପରମାଣୁ ପରୀକ୍ଷଣ ନିରୋଧୀ ଦିବସ ଭାବେ ପାଳନ କରାଯାଉଛି। ଆଣବିକ ପରୀକ୍ଷଣ ବିରୋଧରେ ଅନ୍ତର୍ଜାତୀୟ ଦିବସ ପାଳନ ପରେ ଅର୍ଥାତ ମେ ୨୦୧୦ ରେ ଆଣବିକ ଅସ୍ତ୍ର ନିର୍ମାଣ ନ କରିବା ଲାଗି ଉଦ୍ଦିଷ୍ଟ ଥିବା ଚୁକ୍ତିରେ ସମସ୍ତ ଦେଶ ଆଣବିକ ଅସ୍ତ୍ର ବିନା ବିଶ୍ୱର ଶାନ୍ତି ଏବଂ ନିରାପତ୍ତା ହାସଲ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ପ୍ରତିବର୍ଷ ଏହି ଦିବସ ପାଳନ ଅବସରରେ ଭବିଷ୍ୟତ ବଂଶଧରଙ୍କ ପାଇଁ କିଭଳି ପୃଥିବୀକୁ ଜୀବିତ ରଖିବା ଅପରିହାର୍ଯ୍ୟ ସେ ନେଇ ସଚେତନତା ସୃଷ୍ଟି କରାଯାଇଥାଏ। ଏହା ସହିତ ଅଦୂରଦର୍ଶୀ ମନୋଭାବକୁ ଦୂର କରାଯିବା ଲାଗି ଉଦ୍ୟମ ମଧ୍ୟ ହୋଇଥାଏ।

Share