ଟିକା ନ ନେଲେ ମେ’ ମାସର ଦରମା ବନ୍ଦ: ନିର୍ଦ୍ଦେଶ ଜାରି କଲେ ଜିଲାପାଳ…

ଛପରା,୨୩।୫: କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ତୀବ୍ରବେଗରେ ବ୍ୟାପିବାରେ ଲାଗିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଦେଶରେ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ତେବେ ବିଭିନ୍ନ ଗୁଜବକୁ ବିଶ୍ୱାସ ବହୁ ଲୋକ ଟିକା ନେବାକୁ ଭୟ କରୁଛନ୍ତି। ବିହାରର ଛପରା ଜିଲାରେ ମଧ୍ୟ ଲୋକଙ୍କ ମଧ୍ୟରେ ଏଭଳି କୋକୁଆ ଭୟ ସୃଷ୍ଟି ହୋଇଛି। ଏପରିସ୍ଥଳେ ଜିଲାପାଳ ଡ. ନିଲେଶ ରାମଚନ୍ଦ୍ର ଦଓ୍ବେରେ ଏକ ଅଜବ ନିର୍ଦ୍ଦେଶ ଜାରି କରିଛନ୍ତି। ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି ଯେ, ଜିଲାର ସମସ୍ତ ସରକାରୀ କର୍ମଚାରୀ ଟିକା ନେବା ବାଧ୍ୟତା ମୂଳକ। ଟିକା ନ ନେଲେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କର୍ମଚାରୀଙ୍କ ମେ’ ମାସର ଦରମା ବନ୍ଦ କରି ଦିଆଯିବ। ତେବେ ଟିକା ନେବା ପାଇଁ ଅନ୍‌ଲାଇନ୍‌ ପଞ୍ଜିକରଣରେ ସ୍ଲଟ୍‌ ମିଳୁ ନ ଥିବାରୁ ଜିଲାର କର୍ମଚାରୀମାନେ ଏବେ ଅଡୁଆରେ ପଡ଼ିଛନ୍ତି। ଏହାର ଗୋଟିଏ ଦିନ ପୂର୍ବରୁ ମଧ୍ୟପ୍ରଦେଶର ଦତିଆ ଜିଲାର ଜିଲାପାଳ ସଞ୍ଜୟ କୁମାର ମଧ୍ୟ ଏଭଳି ନିର୍ଦ୍ଦେଶ ଜାରି କରିଥିଲେ। ଟିକା ନ ନେଲେ ମେ’ ମାସର ଦରମା ମିଳିବ ନାହିଁ ବୋଲି ସେ ନିର୍ଦ୍ଦେଶ ଦେଇଥିଲେ। ମେ’ ୨୪ ସୁଦ୍ଧା ଟିକା ନେବା ଜିଲାର ସରକାରୀ କର୍ମଚାରୀଙ୍କ ପାଇଁ ଅନିବାର୍ଯ୍ୟ କରାଯାଇଛି। ମେ’ ୨୫ରେ ଟିକା ନେଇଥିବାର ସାର୍ଟିଫିକେଟ୍‌ ଜମା କଲେ ଦରମା ଦିଆଯିବ ବୋଲି ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

Share