୨ ଚକିଆ ଇ-ଯାନକୁ ସର୍ବାଧିକ ୨୦ ହଜାର ଟଙ୍କାର ରିହାତି

ଭୁବନେଶ୍ବର, ୨୭ା୪(ବ୍ୟୁରୋ): ସବୁ ପ୍ରକାର ଇ-ଯାନ କିଣିଲେ ଏଣିକି ପୂର୍ବ ଅପେକ୍ଷା ଅଧିକ ଟଙ୍କାର ରିହାତି ମିଳିବ। ଦୁଇ ଚକିଆ ଇ-ଯାନ ଲାଗି ପ୍ରତି କେଡବ୍ଲ୍ୟଏଚ୍‌ (କିଲୋଓ୍ବାଟ୍‌ ଆଓ୍ବାର) ପାଇଁ ୫ ହଜାର ଟଙ୍କା ରିହାତି ଦର ସ୍ଥିର ହୋଇଥିବା ବେଳେ ସର୍ବାଧିକ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିବ। ସେହିପରି ତିନି ଚକିଆ ଯାନ ଲାଗି ୩୦ ହଜାର ଟଙ୍କା ଏବଂ ୪ ଚକିଆ ଯାନ ଲାଗି ୧୦ ହଜାରରୁ ସର୍ବାଧିକ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିପାରିବ। ରାଜ୍ୟରେ ପ୍ରଦୂଷଣ ହ୍ରାସ କରିବା ସହିତ ଅନ୍ୟ କେତେକ ଏ ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟ ନେଇ ରାଜ୍ୟ ସରକାର ଇଲେକ୍ଟ୍ରିକ୍‌ ଭେହିକିଲ ୨୦୨୧ ପିଲିସି ଆରମ୍ଭ କରିଥିଲେ। ହେଲେ ତାହା ସଫଳ ହେଲା ନାହିଁ। ତେଣୁ ରାଜ୍ୟ ସରକାର ଏନେଇ ଏକ ନୂଆ ପଦକ୍ଷେପ ନେଇଛନ୍ତି। ଇ-ଯାନ ଉପରେ ଅଧିକ ରିହାତି ଦେବା ନିମନ୍ତେ ବୁଧବାର ରାଜ୍ୟ ସରକାର ଘୋଷଣା କରିଛନ୍ତି। ପ୍ରଥମେ ଗତ ସୋମବାର ଇ-ଯାନ ଉପରେ ରିହାତି ଦର ବଢାଇବା ନେଇ କ୍ୟାବିନେଟ୍‌ ମଞ୍ଜୁରୀ ମିଳିବା ପରେ ଏହାକୁ ଲାଗୁ କରିବା ନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବୁଧବାର ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଇ-ଯାନ ଗ୍ରାହକଙ୍କ ସଂଖ୍ୟା ବଢ଼ାଇବା ସକାଶେ ସରକାର ଉପରୋକ୍ତ ପଦକ୍ଷେପ ନେଇଛନ୍ତି। ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଥିବା ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ, ୨ ସେପ୍ଟେମ୍ବର ୨୦୨୧ରେ ଓଡ଼ିଶା ଇଲେକ୍ଟ୍ରିକ ଭେହିକିଲ ପଲିସି ୨୦୨୧ର ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୨୦୨୫ ସୁଦ୍ଧା ରାଜ୍ୟରେ ଶତକଡା ୨୦ ପ୍ରତିଶତ ଇଲେକ୍ଟ୍ରିକ ଯାନ ପଞ୍ଜୀକରଣ ଲକ୍ଷ୍ୟ ନେଇ ଉକ୍ତ ପିଲିସି କାର୍ଯ୍ୟକାରୀ କରାଯାଇଥିଲା। ହେଲେ ୨୦୨୨ ଶେଷ ସୁଦ୍ଧା ରାଜ୍ୟରେ ମୋଟ ୪.୪୮% ଇ-ଯାନ ନେଇ ଗ୍ରାହକଙ୍କ ପକ୍ଷରୁ ପଞ୍ଜୀକରଣ କରାଯାଇଥିଲା। ପଲିସି ଲକ୍ଷ୍ୟ ଅନୁଯାୟୀ ଏହା ଆଦୌ ସନ୍ତୋଷଜନକ ନୁହେଁ ବୋଲି ରାଜ୍ୟ ସରକାର ତାଙ୍କ ବିଜ୍ଞପ୍ତିରେ ଉଲ୍ଲେଖ କରିଛନ୍ତି। ସୂଚନାଯୋଗ୍ୟ, ପୂର୍ବ ବିଜ୍ଞପ୍ତି ଅନୁୟାୟୀ ଏହି ନୀତିରେ ବିଭିନ୍ନ ବର୍ଗର ଇ-ଯାନ ଲାଗି ଉଭୟ ଉପଭୋକ୍ତା ଏବଂ ନିର୍ମାତାଙ୍କ ପାଇଁ ରିହାତି ବ୍ୟବସ୍ଥା କରାଯାଇଥିଲା। ଇ-ଯାନରେ ରାଜ୍ୟ ସରକାର ୧୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦେଉଥିଲେ। ଦୁଇ ଚକିଆ ଯାନ ଲାଗି ସର୍ବାଧିକ ୫ ହଜାର, ୩ ଚକିଆ ପାଇଁ ୧୦ ହଜାର ଏବଂ ୪ ଚକିଆ ପାଇଁ ୫୦ ହଜାର ଟଙ୍କା ରିହାତି ଦେବାର ବ୍ୟବସ୍ଥା ଥିଲା। ସେହିପରି ଇଲେକ୍ଟ୍ରିକ ବସ୍‌ ଲାଗି ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ଦେବାର ବ୍ୟବସ୍ଥା ଥିଲା। ସରକାରୀ କର୍ମଚାରୀଙ୍କ ଲାଗି ମଧ୍ୟ ସରକାର ଅଗ୍ରିମଦେବାକୁ ଘୋଷଣା କରାଯାଇଥିଲା।