Categories: ଖେଳ

ମୌରିସିଓଙ୍କ ଚୁକ୍ତି ମିଆଦ ବଢ଼ାଇଲା ଓଏଫ୍‌ସି

ଭୁବନେଶ୍ୱର, ୪।୪(କ୍ରୀଡ଼ା ପ୍ରତିନିଧି): ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଭୁବନେଶ୍ୱର ଭିତ୍ତିକ ଫ୍ରାଞ୍ଚାଇଜ୍‌ ଓଡ଼ିଶା ଏଫ୍‌ସି (ଓଏଫ୍‌ସି) ବ୍ରାଜିଲିଆନ ଫୁଟ୍‌ବଲର ଡିଏଗୋ ମୌରିସିଓଙ୍କ ଚୁକ୍ତି ମିଆଦ ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରିଛି। ମୌରିସିଓ ଗତ ସିଜନରେ ୧୨ଟି ଗୋଲ ସ୍କୋର ସହ ୪ ଗୋଲ ଦେବାରେ ସହାୟତା କରି ହିରୋ ଗୋଲ୍ଡେନ ବୁଟ୍‌ ହାସଲ କରିଥିଲେ। ୨୦୨୦-୨୧ ସିଜନରେ ଓଡ଼ିଶା ଏଫ୍‌ସି ସହ ଯୋଗଦେଇଥିବା ମୌରିସିଓ ଏବେ ଟପ୍‌ ସ୍କୋରର ହୋଇ ନିଜ ଦକ୍ଷତାର ପ୍ରମାଣ ଦେଇଛନ୍ତି। ୩୧ ବର୍ଷୀୟ ଏହି ଖେଳାଳିଙ୍କର ଅନେକ ପ୍ରଶଂସକ ହୋଇଯାଇଛନ୍ତି। ତାଙ୍କ ପ୍ରଦର୍ଶନ ବଳରେ ଓଡ଼ିଶା ଏଫ୍‌ସି ଗତ ସଂସ୍କରଣରେ ପ୍ରଥମଥର ପାଇଁ ଟପ୍‌-୬ ମଧ୍ୟରେ ରହି ପ୍ଲେ-ଅଫ୍‌ ଖେଳିଥିଲା। ଚୁକ୍ତି ମିଆଦ ବୃଦ୍ଧି ସମ୍ପର୍କରେ ମତ ଦେବାକୁ ଯାଇ ମୌରିସିଓ କହିଛନ୍ତି, ”ମୁଁ ଓଡ଼ିଶା ଲୋକ ଓ ଏହି ସହରକୁ ଭଲପାଏ। ଲୋକମାନେ ମଧ୍ୟ ମୋତେ ଅନେକ ଭଲପାଇବା ଦେଇଛନ୍ତି। ମୁଁ ଏହି କ୍ଲବ ସହ ରହିବାକୁ ନିଷ୍ପତ୍ତି ନେଇଥିବାରୁ ମୋ ପରିବାରବର୍ଗ ବହୁତ ଖୁସି। ମୋ ଯାତ୍ରା ଏପର୍ଯ୍ୟନ୍ତ ବହୁତ ଭଲ ରହିଆସିଛି ଏବଂ ଆଗାମୀ ଦିନରେ ଏହାକୁ ଆଗକୁ ବଢ଼ାଇବା ଉପରେ ଫୋକସ କରୁଛି।“ ପ୍ରକାଶଯୋଗ୍ୟ, ଏହି ବ୍ରାଜିଲିଆନ ଖେଳାଳି ଓଏଫ୍‌ସି ଦଳର ଅବିଚ୍ଛେଦ୍ୟ ଅଙ୍ଗ ପାଲଟି ଯାଇଛନ୍ତି। ତାଙ୍କୁ ନେଇ ଆଗାମୀ ସିଜନରେ ମଧ୍ୟ ଦଳ ସଫଳତା ପାଇବା ନେଇ ଆଶା ରଖିଛି।

Share