ଫ୍ୟାନ୍‌ରେ ଝୁଲିପଡ଼ିଲେ ମାଟ୍ରିକ ଛାତ୍ର

ଧାମନଗର,୨୩ା୨(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ଥାନା ଅଧୀନ ଜାହାଙ୍ଗୀର ଶାସନ ରାଢ଼ୋ ଗ୍ରାମରେ ଶୁକ୍ରବାର ସକାଳେ ଜଣେ ମାଟ୍ରିକ ଛାତ୍ର ଆତ୍ମହତ୍ୟା କରିଛନ୍ତି। ମୃତ ଛାତ୍ର ଜଣକ ହେଲେ ଅଭିଷେକ ପଣ୍ଡା (୧୬)। ଅଭିଷେକଙ୍କ ଘର ମୟୂରଭଞ୍ଜ ଜିଲା ଉଦଳା ଗ୍ରାମର। ସେ ଧାମନଗର ଥାନା ଜାହାଙ୍ଗୀର ଶାସନ ରାଢ଼ୋ ଗ୍ରାମର ମାଉସୀ-ମଉସା ଲକ୍ଷ୍ମୀଧର ଦାଶଙ୍କ ଘରେ ରହି ଜାହାଙ୍ଗୀର ହାଇସ୍କୁଲରେ ପାଠ ପଢୁଥିଲେ। ମାଟ୍ରିକ ପରୀକ୍ଷା ସେଣ୍ଟର ତାଙ୍କର ନଦୀ ଗାଁ ହାଇସ୍କୁଲ ହୋଇଥିଲା। ଅଭିଷେକ ମାଉସୀ ଘର ଫ୍ୟାନ୍‌ରେ ଆତ୍ମହତ୍ୟା କରିଛନ୍ତି। ଶୁକ୍ରବାର ସକାଳୁ ମାଉସୀ ଘର ଲୋକ ଦେଖିଥିଲେ। ଅଭିଷେକଙ୍କ ମାଉସୀ ଅଳକା ଦାଶଙ୍କ ଅଭିଯୋଗ କ୍ରମେ ଧାମନଗର ଥାନାରେ କେସ୍‌ ନଂ ୩/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ମୃତଦେହ ବ୍ୟବଚ୍ଛେଦ କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।