ଆଜିଠାରୁ ମାଟ୍ରିକ ଖାତାଦେଖା

ଅନୁଗୋଳ ଅଫିସ, ୨୧।୫ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଅନୁଷ୍ଠିତ ମାଟ୍ରିକ ପରୀକ୍ଷା ଖାତାଦେଖା କାର୍ଯ୍ୟ ଶନିବାରଠାରୁ ଆରମ୍ଭ ହେବ। ଅନୁଗୋଳ ହାଇସ୍କୁଲ କେନ୍ଦ୍ରରେ ପୂର୍ବାହ୍ନ ୧୦ଟାରୁ ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହେବ। ଏହା ଅପରାହ୍ନ ୫ଟା ଯାଏ ଚାଲିବ। ଏଥିଲାଗି ଜିଲାର ବିଭିନ୍ନ ବ୍ଲକରୁ ମୋଟ ୨୬୨ ବିଦ୍ୟାଳୟର ୨୨୯ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ନିୟୋଜିତ କରାଯାଇଥିବା ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଅନୁଗୋଳ ହାଇସ୍କୁଲଠାରେ ଖାତା ଦେଖିବା ପାଇଁ ମୋଟ୍‌ ୯ଟି ୟୁନିଟ କରାଯାଇଛି। ପ୍ରତି ୟୁନିଟ୍‌ରେ ଜଣେ ଲେଖାଏ ଚିଫ୍‌ ଏକ୍‌ଜାମିନର, ୨ ଜଣ ଡେପୁଟି ଚିଫ୍‌ ଏକ୍‌ଜାମିନର, ୨୪ ଜଣ ଆସିଷ୍ଟାଣ୍ଟ ଏକ୍‌ଜାମିନର ରହିବେ। ୱେବସାଇଟ୍‌ରେ ମାର୍କ ଅପଲୋଡ୍‌ କରିବା ଲାଗି ଦୁଇ ଜଣ ସ୍କୁଟିନାଇଜରଙ୍କୁ ନିଯୁକ୍ତ କରାଯାଇଛି। ସାହିତ୍ୟ, ଇଂଲିଶ, ହିନ୍ଦୀ, ସଂସ୍କୃତ, ଗଣିତ ବିଷୟ ପାଇଁ ୨୯ଜଣ ନିୟୋଜିତ ହୋଇଛନ୍ତି। ସେହିପରି ଅନ୍ୟ ବିଷୟ ଲାଗି ଜଣେ ଚିଫ୍‌ ଏକ୍‌ଜାମିନର, ୨ ଜଣ ଡେପୁଟି ଚିଫ୍‌ ଏକ୍‌ଜାମିନର, ୧୬ ଆସିଷ୍ଟାଣ୍ଟ, ଦୁଇ ଜଣ ସ୍କୁଟିନାଇଜରଙ୍କୁ ନିଯୁକ୍ତ କରାଯାଇଛି। ମୂଲ୍ୟାୟନ କାର୍ଯ୍ୟରେ ନିୟୋଜିତ ଶିକ୍ଷୟିତ୍ରୀଶିକ୍ଷକମାନେ ପୂର୍ବାହ୍ନ ୯.୧୫ରୁ ୯.୩୦ ମଧ୍ୟରେ କେନ୍ଦ୍ରକୁ ପ୍ରବେଶ କରିବେ। ସମସ୍ତ କାର୍ଯ୍ୟ ପରିଚାଳନା ଲାଗି ୨୧ ଜଣିଆ ଟିମଙ୍କୁ ନିୟୋଜିତ କରାଯିବ। ମୂଲ୍ୟାୟନ କେନ୍ଦ୍ରରେ ଜିଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି।