ମ୍ୟାଟ୍ରିକରେ ଭଲ ରେଜଲ୍ଟ ପାଇଁ ବ୍ଲୁ-ପ୍ରିଣ୍ଟ: ପିଏମଶ୍ରୀ ବିଦ୍ୟାଳୟର ମାନଦଣ୍ଡ ଅନୁଧ୍ୟାନ କଲେ ଯୁଗ୍ମ ନିର୍ଦ୍ଦେଶକ,A1-A2 ଗ୍ରେଡ୍ ଉପରେ…

ଗୁଡାରୀ,୧୪।୧୦(ପ୍ରମୋଦ କୁମାର ପତି): ଗୁଡାରୀ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟର ବିଭିନ୍ନ ମାନଦଣ୍ଡ ଅନୁଧ୍ୟାନ କରିଛନ୍ତି ଶିକ୍ଷା ବିଭାଗର ଯୁଗ୍ମ ନିର୍ଦ୍ଦେଶକ ପବିତ୍ର ମୋହନ ସାହୁ। ପରିଦର୍ଶନ ସମୟରେ ଯୁଗ୍ମ ନିର୍ଦ୍ଦେଶକ ବିଦ୍ୟାଳୟ ପରିସରରେ ଥିବା ବିଜ୍ଞାନ ପରୀକ୍ଷାଗାର, ଲାଇବ୍ରେରୀ, ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା, କ୍ରୀଡ଼ା ପ୍ରକୋଷ୍ଠ ଏବଂ ଶ୍ରେଣୀଗୃହଗୁଡ଼ିକ ବୁଲି ଦେଖିଥିଲେ। ଏଥିସହ ଶ୍ରେଣୀଗୃହରେ ଶିକ୍ଷକମାନଙ୍କ ଶିକ୍ଷାଦାନ ଶୈଳୀ ପ୍ରତ୍ୟକ୍ଷ ଅନୁଧ୍ୟାନ କରିଥିଲେ। ଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତ ଚେକ୍‌ଲିଷ୍ଟ୍ ଅନୁଯାୟୀ ସମସ୍ତ ବିଷୟର ସମୀକ୍ଷା କରି ତାହାକୁ ଲିପିବଦ୍ଧ କରିଥିଲେ।

ଏହାପରେ ପ୍ରଧାନଶିକ୍ଷକଙ୍କ କକ୍ଷରେ ଦାୟିତ୍ୱରେ ଥିବା ପ୍ରଧାନଶିକ୍ଷୟତ୍ରୀ ଡି. ସନ୍ତୋଷୀ ଏବଂ ଅନ୍ୟ ଶିକ୍ଷକ-ଶିକ୍ଷୟତ୍ରୀମାନଙ୍କ ସହ ସେ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ଗତ ମ୍ୟାଟ୍ରିକ ପରୀକ୍ଷାରେ ଏହି ବିଦ୍ୟାଳୟରୁ କୌଣସି ବି ଛାତ୍ରଛାତ୍ରୀ A1 କିମ୍ବା A2 ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇ ନ ଥିବାରୁ ସେ କ୍ଷୋଭ ପ୍ରକାଶ କରିବା ସହ ଏଥିପ୍ରତି ବିଶେଷ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଆସନ୍ତା ମ୍ୟାଟ୍ରିକ ପରୀକ୍ଷାରେ ଛାତ୍ରଛାତ୍ରୀମାନେ କିପରି ଶ୍ରେଷ୍ଠ ସଫଳତା (A1 ଓ A2 ଗ୍ରେଡ୍) ହାସଲ କରିପାରିବେ, ସେ ନେଇ ସ୍ୱତନ୍ତ୍ର କାର୍ଯ୍ୟପନ୍ଥା ଉପରେ ଆଲୋଚନା ହୋଇଥିଲା।

ଆଲୋଚନା ସମୟରେ, ବିଦ୍ୟାଳୟରେ ଦୀର୍ଘ ଦିନ ହେଲା କୌଣସି ସ୍ଥାୟୀ ପ୍ରଧାନଶିକ୍ଷକ ନଥିବା ବିଷୟରେ ଉପସ୍ଥିତ ଶିକ୍ଷକମାନେ ଯୁଗ୍ମ ନିର୍ଦ୍ଦେଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ରାମନାଗୁଡ଼ା BEO ସୃଜନ ମଲିକ ଏହି ବିଦ୍ୟାଳୟର ପ୍ରଧାନଶିକ୍ଷକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି, କିନ୍ତୁ ପରିଦର୍ଶନ ସମୟରେ ସେ ମଧ୍ୟ ଅନୁପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Share