ଆଜିଠୁ ମୂଲ୍ୟାୟନ ପାଇଁ ଯିବ ସମେଟିଭ-୧ ଓଏମଆର ସିଟ୍‌

କଟକ ଅଫିସ, ୧୮।୧: ଆଜିଠୁ ମାଟ୍ରିକ ପରୀକ୍ଷାର ପ୍ରଥମ ପର୍ଯ୍ୟାୟ ସମେଟିଭ ଆସେସମେଣ୍ଟ ଟେଷ୍ଟ-୧ର ଓଏମଆର୍‌ ସିଟ ମୂଲ୍ୟାୟନପାଇଁ ଯିବ । ଗତ ୭ ତାରିଖରେ ପରୀକ୍ଷା ଶେଷ ହୋଇଥିବା ବେଳେ ୯ରୁ ଓଏମଆର୍‌ ସିଟ୍‌ଗୁଡ଼ିକ ସଂଗ୍ରହ କରାଯାଇ ବୋର୍ଡ କାର୍ଯ୍ୟାଳୟକୁ ଆସିଥିଲା। ଆନୁଷଙ୍ଗିକ କାମ ଶେଷ ପରେ ସୋମବାରଠାରୁ ଏହାକୁ କମ୍ପ୍ୟୁଟର ମୂଲ୍ୟାୟନ ପାଇଁ ନିର୍ଦ୍ଦିଷ୍ଟ ଫାର୍ମକୁ ପଠାଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ବୋର୍ଡ ସୂତ୍ରରୁ ମିଳିଥିବା ସୂଚନାରେ, ପ୍ରଚଳିତ ନୂଆ ମାଟ୍ରିକ ପରୀକ୍ଷା ବ୍ୟବସ୍ଥା ଆଧାରରେ ଚଳିତ ଶିକ୍ଷାବର୍ଷରେ ଦଶମ ଶ୍ରେଣୀ ଛାତ୍ରୀଛାତ୍ରମାନେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଫର୍ମେଟିଭ-୧ ଏବଂ ଫର୍ମେଟିଭ-୨ ପରୀକ୍ଷା ଦେଇସାରିଛନ୍ତି । ନିଜ ବିଦ୍ୟାଳୟର ଶିକ୍ଷକମାନେ ଖାତା ମୂଲ୍ୟାୟନ କରିଥିଲେ । ପରେ ସେସବୁ କାଗଜପତ୍ର ବ୍ଲକ ସ୍ତରରେ ହୋଇଥିବା ମେଣ୍ଟର ସ୍କୁଲଗୁଡ଼ିକୁ ପଠାଯାଇଥିଲା । ମୂଲ୍ୟାୟନରେ ସ୍ବଚ୍ଛତା ବଜାୟ ରଖିବା ଲାଗି ବୋର୍ଡ ପକ୍ଷରୁ ଅନ୍‌ଲାଇନ୍‌ରେ ମାର୍କ ଅପଲୋଡ କରିବା ପାଇଁ ବ୍ୟବସ୍ଥା ରଖାଯାଇଛି । ଏଥିପାଇଁ ମେଣ୍ଟର ସ୍କୁଲଗୁଡ଼ିକୁ ଦାୟିତ୍ୱ ଦିଆଯାଇଛି ।