ମାଟ୍ରିକ ପରୀକ୍ଷା ଫଳ: ପାସ୍‌ ହାରରେ ରାଜ୍ୟରେ ଷଷ୍ଠ ସ୍ଥାନରେ ନୂଆପଡ଼ା, ଜିଲା ଟପ୍ପର ହେଲେ ପୁନମ

ନୂଆପଡ଼ା,୩।୫(ମକାରୁ ବେମାଲ): ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚଳିତ ଚଳିତ ଶିକ୍ଷା ବର୍ଷର ମାଟ୍ରିକ ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇଛି। ୯୭.୮୭ ପ୍ରତିଶତ ପାସ୍‌ ହାର ସହ ନୂଆପଡ଼ା ଜିଲା ରାଜ୍ୟରେ ଷଷ୍ଠ ସ୍ଥାନ ଅଧିକାର କରିଛି। ସିନାପାଲି ବ୍ଲକ ବରଗାଁ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପୁନମ ମେହେର ୯୧.୬୬ ପ୍ରତିଶତ ମାର୍କ ରଖି ଜିଲା ଟପ୍ପର ହୋଇଛନ୍ତି। ସେ ମୋଟ ୬ ଶହରୁ ୫୫୦ ମାର୍କ ରଖିଛନ୍ତି। ପୁନମଙ୍କ ପିତା କୈଲାଶ ଚନ୍ଦ୍ର ମେହେର ଜଣେ ଦୋକାନୀ ଏବଂ ମା ପାଳି ମେହେର ଜଣେ ସ୍ବୟଂସହାୟକ ମହିଳା ଓ ସେ ଉଦନ୍ତି ଫାର୍ମ ଗ୍ରୁପର ପରିଚାଳକ ଅଛନ୍ତି। ଜିଲାରେ ମୋଟ ୯,୫୮୭ ଛାତ୍ରୀଛାତ୍ର ପରୀକ୍ଷା ଦେବାପାଇ ନାମ ପଞ୍ଜୀକରଣ କରିଥିଲାବେଳେ ସେଥିରୁ ୧୮୪ ଜଣ ପରୀକ୍ଷାରେ ଅନୁପସ୍ଥିତ ଥିଲେ। ସେଥିରୁ ୯,୨୦୩ ଜଣ ଉନ୍ନୀତ ହୋଇଛନ୍ତି। ଯାହାର ହାର ରହିଛି ୯୭.୮୭ ପ୍ରତିଶତ। ଜିଲାରେ ଏ-୧ରେ ୧୩ ଜଣ ଉନ୍ନୀତ ହୋଇଥିବା ବେଳେ ଏ-୨ରେ ୨୨୬ ଜଣ, ବି-୧ରେ ୧୧୧୧, ବି-୨ରେ ୨୩୭୩ ଜଣ, ସି’ରେ ୨୬୬୦, ଡି’ରେ ୨୧୩୦ ଓ ଇ ଗ୍ରେଡରେ ୬୮୪ଜଣ ପାସ ହୋଇଥିଲା ବେଳେ ୨ଶହ ଜଣ ଫେଲ ହୋଇଛନ୍ତି। ସମସ୍ତ ଉନ୍ନୀତ ଛାତ୍ରୀଛାତ୍ରଙ୍କୁ ଜିଲାପାଳ ମଧୁସୂଦନ ଦାସ ଓ ଜିଲା ଶିକ୍ଷା ଅଧିକାରୀ ଡ.ପ୍ରଶାନ୍ତ କୁମାର ମହାନ୍ତି, ଜିଲା ବିଜ୍ଞାନ ନିରୀକ୍ଷକ ଗିରିଧାରୀ ସା ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି ।

Dharitri – Odisha’s No.1 Odia Daily

Share