ଆସନ୍ତା ସପ୍ତାହରେ ମାଟ୍ରିକ୍‌ ପରୀକ୍ଷାଫଳ: ଆଜି ତାରିଖ ଘୋଷଣା

ଭୁବନେଶ୍ୱର,୪ା୭(ବ୍ୟୁରୋ): ଚଳିତ ବର୍ଷର ମାଟ୍ରିକ୍‌ ପରୀକ୍ଷାଫଳ ପ୍ରକାଶ ନେଇ ସୋମବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ତାରିଖ ଘୋଷଣା କରିବେ। ମାଧ୍ୟମିକ ଶିକ୍ଷା ପରିଷଦ (ବିଏସ୍‌ଇ) ଜୁନ୍‌ ଶେଷ ସୁଦ୍ଧା ପରୀକ୍ଷାଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖିଥିଲା। କିନ୍ତୁ ଏ ପର୍ଯ୍ୟନ୍ତ ପରୀକ୍ଷାଫଳ ପ୍ରକାଶ ପାଇପାରିନାହିଁ। ଏ ସମ୍ପର୍କରେ ମନ୍ତ୍ରୀ ଦାଶ କହିଛନ୍ତି, ବୋର୍ଡ ଆସନ୍ତା ସପ୍ତାହରେ ପରୀକ୍ଷାଫଳ ଘୋଷଣା କରିବ। କେବେ ପରୀକ୍ଷାଫଳ ପ୍ରକାଶ ପାଇବ ସେ ନେଇ ସୋମବାର ତାରିଖ ଘୋଷଣା କରାଯିବ। ପରୀକ୍ଷାଫଳ ପ୍ରକାଶନ ପରେ ଛାତ୍ରୀଛାତ୍ରମାନେ ବୋର୍ଡ ଓ୍ବେବ୍‌ସାଇଟ bseodisha.ac.in ଏବଂ orissaresults.nic.inରେ ନିଜ ପରୀକ୍ଷାଫଳ ଦେଖିପାରିବେ। ସୂଚନାଯୋଗ୍ୟ, ଗତ ଦୁଇବର୍ଷ ହେବ କରୋନା ପାଇଁ ମାଟ୍ରିକ୍‌ ପରୀକ୍ଷା ହୋଇ ନ ଥିଲା। ବିକଳ୍ପ ପଦ୍ଧତିରେ ମୂଲ୍ୟାୟନ କରାଯାଇ ଫଳ ପ୍ରକାଶ କରାଯାଇଥିଲା। କିନ୍ତୁ ଏଥର କରୋନା ସଂକ୍ରମଣ କମିଯାଇଥିବାରୁ ଅଫ୍‌ଲାଇନ ପରୀକ୍ଷା କରିବା ଲାଗି ସରକାର ନିଷ୍ପତ୍ତି ନେଇଥିଲେ। ଗତ ଏପ୍ରିଲ ୨୯ରୁ ମେ’ ୧୦ ତାରିଖ ପର୍ଯ୍ୟନ୍ତ ମାଟ୍ରିକ୍‌ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ମେ’ ୨୧ରୁ ପରୀକ୍ଷା ଖାତା ମୂଲ୍ୟାୟନ ଆରମ୍ଭ ହୋଇଥିଲା। ଚଳିତବର୍ଷ ପ୍ରାୟ ୫ଲକ୍ଷ ଛାତ୍ରୀଛାତ୍ର ମାଟ୍ରିକ୍‌ ପରୀକ୍ଷା ଦେଇଛନ୍ତି।