୭ ଦିନରେ ଅନ୍‌ଲାଇନରେ ମିଳିବ ସାର୍ଟିଫିକେଟ୍‌

କଟକ,୧୭ା୩ (କାର୍ତ୍ତିକ ସାହୁ)ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଏକ ଯୁଗୋପଯୋଗୀ ପଦକ୍ଷେପ ଗ୍ରହଣ କରାଯାଇଛି। ଚଳିତବର୍ଷ ପ୍ରଥମ ଥର ପାଇଁ ମାଟ୍ରିକ୍‌ ପରୀକ୍ଷାଫଳ ପ୍ରକାଶନର ୭ ଦିନ ମଧ୍ୟରେ ପରୀକ୍ଷାର୍ଥୀଙ୍କୁ ମୂଳ ପ୍ରମାଣପତ୍ର ଅନ୍‌ଲାଇନ୍‌ ଜରିଆରେ ଯୋଗାଇ ଦିଆଯିବ। ଏହାବାଦ୍‌ ସମସ୍ତ ସାର୍ଟିଫିକେଟର ପ୍ରିଣ୍ଟେଡ୍‌ କପି ପୂର୍ବବର୍ଷ ଭଳି ହାଇସ୍କୁଲର ମୁଖ୍ୟମାନଙ୍କ ଜରିଆରେ ଫଳ ପ୍ରକାଶନର ୧ ମାସ ମଧ୍ୟରେ ପ୍ରଦାନ କରାଯିବ ବୋଲି ଶନିବାର କଟକସ୍ଥିତ ବୋର୍ଡ ମୁଖ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ଓ ଉପସଭାପତି ଡ. ନୀହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।
ମାଟ୍ରିକ୍‌, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷାର ସବ୍‌ଜେକ୍ଟିଭ ଖାତା ମୂଲ୍ୟାୟନ କାର୍ଯ୍ୟ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ବୋର୍ଡ ଦ୍ୱାରା ନିୟୋଜିତ ୧୫ ହଜାରରୁ ଊର୍ଦ୍ଧ୍ୱ ପରୀକ୍ଷକ ରାଜ୍ୟର ମୋଟ ୫୫ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖୁଛନ୍ତି। ମୂଲ୍ୟାୟନ କେନ୍ଦ୍ରରୁ ପରୀକ୍ଷାର୍ଥୀମାନଙ୍କର ପ୍ରତ୍ୟେକ ବିଷୟରେ ମିଳୁଥିବା ମାର୍କ ସିଧାସଳଖ ପ୍ରୋସେସିଂ ସର୍ଭରରେ ଅନ୍‌ଲାଇନ୍‌ ଯୋଗେ ଅପଲୋଡ୍‌ କରାଯାଉଛି। ବୋର୍ଡ ମୁଖ୍ୟାଳୟରୁ ୧୦ ଜଣ ଅନ୍‌ଲାଇନ୍‌ ସୁପରଭାଇଜର ସମ୍ପୂର୍ଣ୍ଣ ମୂଲ୍ୟାୟନ କାର୍ଯ୍ୟ ତଦାରଖ କରୁଛନ୍ତି। ସମସ୍ତ ମୂଲ୍ୟାୟନ କେନ୍ଦ୍ରକୁ ୨୪ ଘଣ୍ଟିଆ ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି। ଖାତାଦେଖା ଶେଷ ହୋଇ ଉତ୍ତରଖାତା ଅଣାଯିବା ପର୍ଯ୍ୟନ୍ତ ଏହି ସୁରକ୍ଷା ବ୍ୟବସ୍ଥା ବଳବତ୍ତର ରହିବ। ମୂଲ୍ୟାୟନ କାର୍ଯ୍ୟ ଆରମ୍ଭର ୧୫ ଦିନ ମଧ୍ୟରେ ଖାତାଦେଖା ଶେଷ ହେବ।
ସୂଚନାଯୋଗ୍ୟ, ଚଳିତବର୍ଷ ଫେବୃଆରୀ ୨୦ରୁ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ମାଟ୍ରିକ୍‌ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ୫ ଲକ୍ଷ ୫୧ ହଜାର ୬୧୧ ଜଣ ମାଟ୍ରିକ, ୭,୮୩୧ ଜଣ ମୁକ୍ତ ବିଦ୍ୟାଳୟ ଓ ୩,୦୩୭ ଜଣ ଛାତ୍ରୀଛାତ୍ର ମଧ୍ୟମା ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିଲେ। ରାଜ୍ୟରେ ମୋଟ ୩,୦୪୭ ପରୀକ୍ଷା କେନ୍ଦ୍ର ଓ ପ୍ରଶ୍ନପତ୍ର ଗଚ୍ଛିତ ପାଇଁ ୩୧୩ ନୋଡାଲ ସେଣ୍ଟର କରାଯାଇଥିଲା।