Categories: ଜାତୀୟ

ପିଲା ଜନ୍ମର ୧୦ ଦିନ ପୂର୍ବରୁ ଆସିଲା ପିତାଙ୍କ ମୃତ୍ୟୁ ଖବର

ମଥୁରା,୮।୮: ଏୟାର ଇଣ୍ଡିଆ ଏକ୍ସପ୍ରେସର ବିମାନ ଦୁର୍ଘଟଣାରେ ମଥୁରା ନିବାସୀ କୋ-ପାଇଲଟ ଅଖିଳେଶ କୁମାର ଭରଦ୍ୱାଜଙ୍କ ମୃତ୍ୟୁ ହୋଇଛି। ଏହି ଖବର ଆସିବା ପରେ ତାଙ୍କ ପରିବାରରେ ଆସିବାକୁ ଥିବା ଖୁସି ଏବେ ଦୁଃଖରେ ପରିଣତ ହୋଇଛି। ଅଖିଳେଶଙ୍କ ପତ୍ନୀ ମେଘା ଭରଦ୍ୱାଜ ଗର୍ଭବତୀ ଅଛନ୍ତି। ଆଉ ୧୦ ଦିନ ପରେ ସେ ସନ୍ତାନ ପ୍ରସବ କରିବେ। ହେଲେ ଏବେ ଅଖିଳେଶଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ତାଙ୍କ ପରିବାର। ୧୦ ଦିନ ପରେ ଆସିବାକୁ ଥିବା ଖୁସି ଏବେ ଉଜୁଡି ଯାଇଛି। ସୂଚନାଯୋଗ୍ୟ, ଗୋବିନ୍ଦ ନଗର ଥାନାର ପୋତରା କୁଣ୍ଡ ଗ୍ରାମ ନିବାସୀ ୩୨ ବର୍ଷୀୟ ଅଖିଳେଶ ଏୟାର ଇଣ୍ଡିଆରେ କୋ-ପାଇଲଟ ଭାବେ କାମ କରୁଥିଲେ। ଶୁକ୍ରବାର କେରଳର କୋଝିକୋଡ ସ୍ଥିତ କରିପୁର ଏୟାର ପୋର୍ଟରେ ହୋଇଥିବା ବିମାନ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି। ଏଥିରେ ଅଖିଳେଶଙ୍କ ସମେତ ଆଉ ଦୁଇ ପାଇଲଟଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଏମାନଙ୍କୁ ନେଇ ଏପର୍ଯ୍ୟନ୍ତ ପ୍ରାୟ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଛନ୍ତି। ଉକ୍ତ ବିମାନରେ କ୍ରିୟୁ ମେମ୍ବରଙ୍କ ସମେତ ପ୍ରାୟ ୧୯୦ ଯାତ୍ରୀ ଥିଲେ। ବିମାନଟି ଅବତରଣ କରିବା ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା।

Share