ଚାଞ୍ଚଲ୍ୟ…ସିଗାରେଟ୍ ଜଳାଇବାକୁ ମାଗିରେ ଦିଆସିଲି, ମନା କରିବାରୁ….

ନୂଆଦିଲ୍ଲୀ,୧।୯: ଦିଆସିଲି ମାଗିବାକୁ ନେଇ ଆରମ୍ଭ ହୋଇଥିବା ସାମାନ୍ୟ ବଚସା ଶେଷରେ ନେଇଗଲା ଜଣଙ୍କ ଜୀବନ। ଆନ୍ଧ୍ରପ୍ରଦେଶର ବାପଟଲା ଜିଲା ବେମୁରୁ ମଣ୍ଡଳର ୱେଲାବାଡୁ ଗାଁରେ ଘଟିଛି ଏଭଳି ଚାଞ୍ଚଲ୍ୟକର ଘଟଣା। ସିଗାରେଟ୍ ଜଳାଇବା ପାଇଁ ଦିଆସିଲି ମାଗିବାକୁ ନେଇ ଦୁଇଜଣଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା। ପରେ ଏହି ବିବାଦ ହିଂସାତ୍ମକ ରୂପ ନେଇଥିଲା।

ପୋଲିସର ସୂଚନା ଅନୁସାରେ, ଘଟଣାଟି ଶନିବାର ରାତି ପ୍ରାୟ ୧୧ଟା ସମୟରେ ଘଟିଥିଲା। ଘଟଣା ସମୟରେ ଉଭୟ ବ୍ୟକ୍ତି ନିଶାସକ୍ତ ଥିଲେ । ସିଏଚ୍ ଚରଣ ତେଜା ରାତି ପ୍ରାୟ ୧୧ଟାରେ ୱେଲାବାଡୁ ଗାଁର ଏକ ରାସ୍ତା ଦେଇ ଯାଉଥିଲେ। ଏହି ସମୟରେ ତାଙ୍କର ଗାଁର ୪୬ ବର୍ଷୀୟ ଇପୁରୁ ଯୋହାନଙ୍କ ସହ ଦେଖା ହୋଇଥିଲା। ଚରଣ ତେଜା ସିଗାରେଟ୍ ଜଳାଇବା ପାଇଁ ଯୋହାନଙ୍କୁ ଦିଆସିଲି ମାଗିଥିଲେ। ତେବେ ଯୋହାନ ଦିଆସିଲି ଦେବାକୁ ମନା କରିବାରୁ ଦୁଇଜଣଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା। କିଛି ସମୟ ପରେ ବିବାଦ ଏତେ ବଢ଼ିଗଲା ଯେ ଦୁଇଜଣ ପରସ୍ପରକୁ ପଥର ଫିଙ୍ଗିବା ଆରମ୍ଭ କରିଥିଲେ।

ରାସ୍ତାରେ ହୋହଲ୍ଲା ଶୁଣି ଆଖପାଖର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସ୍ଥାନୀୟ ଲୋକେ ଉଭୟଙ୍କୁ ବୁଝାସୁଝା କରି ଶାନ୍ତ କରିବା ସହ ନିଜ ନିଜ ଘରକୁ ଚାଲିଯିବାକୁ କହିଥିଲେ। ଏହାପରେ ବିବାଦ ଶେଷ ହୋଇଥିବା ଭଳି ଲାଗିଥିଲା। ପୋଲିସର ଅଭିଯୋଗ ଅନୁସାରେ, ଚରଣ ତେଜା କିଛି ସମୟ ପରେ ନିଜ ଘରକୁ ଯାଇ ଏକ ଛୁରି ନେଇ ପୁଣି ଫେରିଥିଲେ। ସେ ଯୋହାନଙ୍କୁ ଛୁରିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ଆକ୍ରମଣରେ ଗୁରୁତର ଆହତ ହୋଇ ଯୋହାନ ଘଟଣାସ୍ଥଳରେ ପଡ଼ିଯାଇଥିଲେ। ପଡ଼ୋଶୀ ଓ ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ତେନାଲି ସରକାରୀ ହସ୍ପିଟାଲକୁ ନେଇଥିଲେ। କିନ୍ତୁ ଡାକ୍ତର ପରୀକ୍ଷା କରିବା ପରେ ଯୋହାନଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ପରେ ପୁଲିସ ମାମଲା ରୁଜୁ କରି ମୃତଦେହକୁ ପୋଷ୍ଟମର୍ଟମ୍ ପାଇଁ ପଠାଇଥିଲା। ପୋଷ୍ଟମର୍ଟମ୍ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି। ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ପୋଲିସ ଜାରି ରଖିଛି।

 

Dharitri – Odisha’s No.1 Odia Daily

Share