ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତ ଗିରଫ

ଭଦ୍ରକ ଅଫିସ/ ଭୁବନେଶ୍ୱର ୨୮ା୩(ବ୍ୟୁରୋ): ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାର ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତ ଭଦ୍ରକ ଜିଲା ନଳାଙ୍ଗରୁ ସୋମବାର ଗିରଫ ହୋଇଛନ୍ତି। ଭଦ୍ରକ ପୋଲିସ ଓ କ୍ରାଇମବ୍ରାଞ୍ଚର ମିଳିତ ସହଯୋଗରେ ତାଙ୍କୁ ଗିରଫ କରାଯାଇଛି। ଶର୍ମିଷ୍ଠାଙ୍କ ସହଯୋଗୀ ଝୁନା ଭୋଇ ମଧ୍ୟ ଗିରଫ ହୋଇଛନ୍ତି।

ଉଭୟଙ୍କୁ ଆଜି ଅପରାହ୍ନ ୫ଟାରେ ଚାନ୍ଦବାଲି ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଯାଇ ୧୦ ଦିନିଆ ରିମାଣ୍ଡ ଆବେଦନ କରାଯିବ। ଏହି ଘଟଣାରେ ପୂର୍ବରୁ ଗିରଫ ହୋଇଥିବା ଅନ୍ୟ ୫ ଅଭିଯୁକ୍ତଙ୍କୁ ମଧ୍ୟ ୧୦ ଦିନ ପାଇଁ ରିମାଣ୍ଡରେ ଅଣାଯିବ। ଏନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ନୟାଗଡ଼ ଜିଲା ରଣପୁର ଥାନା ଗୋଡ଼ିପୋଖରୀ ଗାଁର ମାନସ ସ୍ବାଇଁ ଭୁବନେଶ୍ୱରରେ ଶର୍ମିଷ୍ଠା ରାଉତଙ୍କ ଏକ ଓ୍ବେବ୍‌ ପୋର୍ଟାଲରେ କ୍ୟାମେରାମ୍ୟାନ ଭାବେ କାମ କରୁଥିଲେ। ସେଠାରେ କାମ କରିବାର କିଛି ଦିନ ପରେ ଚାକିରି ଛାଡ଼ି ଦେଇଥିଲେ। ଚାକିରି ଛାଡ଼ିବା ବେଳେ ମାନସ କିଛି ଗୁପ୍ତ ତଥ୍ୟ ଥିବା ମେମୋରି ଚିପ୍‌ ନେଇଯାଇଥିବା ଅଭିଯୋଗ ହୋଇଛି। ଯାହାକୁ ଫେରାଇବା ପାଇଁ ଶର୍ମିଷ୍ଠା ମାନସଙ୍କୁ କହିଥିଲେ। କିନ୍ତୁ ମାନସ ତାଙ୍କୁ ଧରାଛୁଆଁ ଦେଇ ନ ଥିଲେ। ଏହା ପରଠାରୁ ସବୁଦିନ ପାଇଁ ମାନସଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ ଶର୍ମିଷ୍ଠା।

ଯୋଜନା ମୁତାବକ ମାନସ ଚାନ୍ଦବାଲିରୁ ଫେରୁଥିବା ବେଳେ ତାଙ୍କୁ ଏକ କାର୍‌ରେ ଅପହରଣ କରି ଭୁବନେଶ୍ୱର ଆଣିଥିଲେ। ସେଠାରେ ମାନସଙ୍କୁ ହତ୍ୟା କରି ପରେ ନୟାଗଡ଼ ଯିବା ରାସ୍ତାରେ ମୃତଦେହକୁ ଶର୍ମିଷ୍ଠା ଓ ତାଙ୍କ ସହଯୋଗୀ ପୋତି ଦେଇଥିଲେ। ସେହିଦିନଠାରୁ ଶର୍ମିଷ୍ଠାଙ୍କୁ ପୋଲିସ ଖୋଜୁଥିଲା। ଶେଷରେ ଆଜି ସେ ବନ୍ଧା ହୋଇଛନ୍ତି।