ଗାନ୍ଧୀନଗର,୧୪ା୩: ଗୁଜରାଟର ରାଜକୋଟରେ ଶୁକ୍ରବାର ଏକ ଦୁଃଖଦ ଦୁର୍ଘଟଣା ଘଟିଛି। ଏଠାରେ ଥିବା ଆଟଲାଣ୍ଟିସ ବିଲଡିଂରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି କୋଠା ଭିତରେ ଅନେକ ଲୋକ ଫସି ରହିଥିଲେ। ସେମାନଙ୍କୁ ରକ୍ଷା କରିବା ପାଇଁ ଅଗ୍ନିଶମ ବାହିନୀ ସମେତ ଜରୁରୀକାଳିନ ସେବା ଦଳ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଛି।
ପୋଲିସର ସୂଚନାନୁଯାୟୀ, ଆଜି ପୂର୍ବାହ୍ନରେ ଷଷ୍ଠ ମହଲାରୁ ଆରମ୍ଭ ହୋଇଥିବା ନିଆଁ ଶୀଘ୍ର ପଞ୍ଚମ ମହଲାକୁ ବ୍ୟାପୀ ଯାଇଥିଲା, ଯାହା ସେଠାରେ ରହୁଥିବା ଲୋକମାନଙ୍କୁ ଭୟଭୀତ କରିଦେଇଥିଲା ଏବଂ ଆତଙ୍କର ପରିବେଶ ସୃଷ୍ଟି କରିଥିଲା। ପୋଲିସ, ଅଗ୍ନିଶମ ବାହିନୀ ଏବଂ ଆମ୍ବୁଲାନ୍ସ ସମେତ ଜରୁରୀକାଳୀନ ସେବା ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।
ସୂତ୍ର ଅନୁଯାୟୀ, ଅଗ୍ନିଶମ ସେବା କର୍ମଚାରୀମାନେ ଉପରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ହାଇଡ୍ରୋଲିକ୍ ଲିଫ୍ଟ ବ୍ୟବହାର କରିଥିଲେ, ଯାହା ଫଳରେ ଅନେକ ପରିବାରକୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯାଇଥିଲା। ରାଜକୋଟ ଡିସିପି କ୍ରାଇମ ପାର୍ଥରାଜସିଂହ ଗୋହିଲ କହିଛନ୍ତି, ଅନେକ ବାସିନ୍ଦାଙ୍କୁ ସଫଳତାର ସହ ଉଦ୍ଧାର କରାଯାଇଛି। ଅଗ୍ନିକାଣ୍ଡର କାରଣ ତଦନ୍ତ କରାଯାଉଛି। ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ, ଷଷ୍ଠ ମହଲା ଲବିରେ ମରାମତି କାର୍ଯ୍ୟ ସମୟରେ ଶଟ୍ସର୍କିଟ୍ ଯୋଗୁ ଅଗ୍ନିକାଣ୍ଡ ଘଟିଥିଲା।


