ଚାନ୍ଦବାଲି, ୧୫।୮ (ରତିକାନ୍ତ ବାରିକ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋ ନିକଟସ୍ଥ ପରମାନନ୍ଦପୁର ଛକ ନିକଟରେ ଏକ ବେଆଇନ ବାଣ ଗଚ୍ଛିତ ଘରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।
ସୂଚନା ଅନୁଯାୟୀ ଶୁକ୍ରବାର ବିଳମ୍ବିତ ରାତିରେ ବହୁ ପରିମାଣର ବାଣ ଗଚ୍ଛିତ ଥିବା ଘରେ କୌଣସି କାରଣରୁ ହଠାତ୍ ନିଆଁ ଲାଗି ଯାଇଥିଲା। ବାଣରେ ନିଆଁ ଲାଗିବା ପରେ ଭୟଙ୍କର ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ ଘରର ଆଜବେଷ୍ଟସ୍ ଛାତ ଖଣ୍ଡବିଖଣ୍ଡିତ ହୋଇ ଚାରିଆଡ଼େ ଛିଟିକି ପଡ଼ିଥିଲା। ଉକ୍ତ ଘରେ ଶୋଇଥିବା ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଥିବା ଖବର ମିଳିଛି। ତେବେ ମୃତକଙ୍କ ପରିଚୟ ସ୍ପଷ୍ଟ ହୋଇନାହିଁ। ବାଣ ବିସ୍ଫୋରଣର ଶବ୍ଦରେ ସ୍ଥାନୀୟ ଅଞ୍ଚଳ ଥରିଉଠିଥିଲା। ରାତିରେ ହଠାତ୍ ଏଭଳି ଭୟଙ୍କର ଶବ୍ଦ ଶୁଣି ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ଆସିଥିଲେ। ଅଗ୍ନିକାଣ୍ଡରେ ଘରେ ଗଚ୍ଛିତ ଥିବା ଲକ୍ଷ ଲକ୍ଷ ଟଙ୍କାର ବାଣ ସମ୍ପୂର୍ଣ୍ଣ ଜଳି ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି।
ଖବର ପାଇ ଚାନ୍ଦବାଲି ଅଗ୍ନିଶମ ବାହିନୀ ନିଆଁ ନିୟନ୍ତ୍ରଣ କରିବା ସହ ଘଟଣାସ୍ଥଳରେ ଉଦ୍ଧାର ଓ ତଲାସୀ କାର୍ଯ୍ୟ କରିଥିଲେ। ତେବେ ଏତେ ପରିମାଣର ବାଣ କେଉଁ ଅନୁମତି ବଳରେ ଏଠାରେ ଗଚ୍ଛିତ ରଖାଯାଇଥିଲା। ଯଦି ଏହା ବେଆଇନ ଭାବେ ବାଣ ଗଚ୍ଛିତ କରାଯାଇଥିଲା, ତେବେ ସମ୍ପୃକ୍ତ ଅଧିକାରୀଙ୍କ ନଜରକୁ ଏହା ପୂର୍ବରୁ କାହିଁକି ଆସିନଥିଲା ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି। ଘଟଣାର ପ୍ରକୃତ କାରଣ, ବାଣ ଗଚ୍ଛିତ ରଖିବାର ବୈଧତା ଏବଂ ମୃତ ବ୍ୟକ୍ତିଙ୍କ ପରିଚୟ ସମ୍ପର୍କରେ ପୁଲିସ ଓ ପ୍ରଶାସନିକ ତଦନ୍ତ ପରେ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ।