ଘରେ ଭୟଙ୍କର ବିସ୍ଫୋରଣ, ୩ ଗୁରୁତର, କାରଣ ଖୋଜୁଛି ବମ୍‌ ସ୍କ୍ବାଡ

ଖଲ୍ଲିକୋଟ,୧୨ା୧୧(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ସହର ଅରବିନ୍ଦ ନଗର ଦ୍ୱିତୀୟ ଗଳିରେ ବୁଧବାର ବିଳମ୍ବିତ ରାତିରେ ଜଣଙ୍କ ଘର ଭିତରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଛି। ଏଥିରେ ଦାଣ୍ଡଘର ଲୁହା ଗ୍ରୀଲ୍‌ ଉପୁଡ଼ି ବାହାରେ ପଡ଼ିଥିବା ବେଳେ ଏକ କାନ୍ଥ ଭୁଶୁଡିଯିବା ସହ ବାଇକ୍‌ ଓ ଅନ୍ୟାନ୍ୟ ସାମଗ୍ରୀ ଭାଙ୍ଗିଯାଇଛି। ଘରେ ଶୋଇଥିବା ୪ ଜଣଙ୍କ ମଧ୍ୟରୁ ୩ ଜଣ ଗୁରୁତର ଆହତ ହୋଇଛନ୍ତି। କେଉଁ ସାମଗ୍ରୀ କିଭଳି ପରିସ୍ଥିତିରେ ବିସ୍ଫୋରଣ ହେଲା ତାହାର ପୋଲିସ, ସାଇଣ୍ଟିଫିକ୍‌ ଟିମ୍‌ ଓ ବମ୍‌ ସ୍କ୍ବାଡ ତଦନ୍ତ ଆରମ୍ଭ କରିଛନ୍ତି। ଗୁରୁତର ଆହତମାନେ ବ୍ରହ୍ମପୁର ବଡ଼ ମେଡିକାଲରୁ ଭୁବନେଶ୍ୱର ଏମ୍‌ସକୁ ସ୍ଥାନାନ୍ତର ହୋଇଛନ୍ତି।

ଖଲ୍ଲିକୋଟ ଅରବିନ୍ଦ ନଗର ଦ୍ୱିତୀୟ ଗଳିରେ କପିଳ ଚନ୍ଦ୍ର ମହାରଣା ତାଙ୍କ ସ୍ତ୍ରୀ ମୀରା ମହାରଣା ଏବଂ ଦୁଇପୁଅ ଭଡାରେ ରହୁଥିଲେ। ବୁଧବାର ରାତିରେ ସମସ୍ତେ ଶୋଇଥିବା ବେଳେ ପ୍ରାୟ ୩ଟାରେ ଘରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଏଥିରେ ନିଆଁ ଲାଗିବା ଓ କାନ୍ଥ ଭୁଶୁଡ଼ିବା ଫଳରେ କପିଳ ତାଙ୍କ ସ୍ତ୍ରୀ ମୀରା ଓ ସାନପୁଅ ବିକାଶ ଗୁରୁତର ହୋଇଥିଲେ। ଖବରପାଇ ଖଲ୍ଲିକୋଟ ଥାନା ପୋଲିସ, ଗଞ୍ଜାମ ଏସ୍‌ପି ହରିଶ ବି.ସି. ଏବଂ ଏସ୍‌ଡିପିଓ ଚନ୍ଦନ ଘଡ଼େଇ ଘଟଣାସ୍ଥଳରେ ପହଞ୍ଚି ଥିଲେ। ପରେ ସାଇଣ୍ଟିଫିକ୍‌ ଟିମ୍‌ ଏବଂ ବମ୍‌ ସ୍କ୍ବାଡ ପହଞ୍ଚତ୍ ତଦନ୍ତ କରିଛନ୍ତି। କେଉଁ ସାମଗ୍ରୀ ବିସ୍ଫୋରଣ ହୋଇଛି ଜାଣିବା ପାଇଁ ବିଭିନ୍ନ ଦିଗରୁ ଯାଞ୍ଚ କରାଯାଉଛି।

Share