ନୂଆଦିଲ୍ଲୀ,୧୮ା୯: ଭାରତରେ ଆପଲ୍ iPhone 18 Pro ଓ iPhone 18 Pro Maxର ଅଫିସିଆଲ୍ ବିକ୍ରି ଶୁକ୍ରବାରଠାରୁ ଆରମ୍ଭ ହୋଇଛି । ନୂଆ iPhone କିଣିବା ପାଇଁ ଦିଲ୍ଲୀ, ମୁମ୍ବାଇ ଓ ବେଙ୍ଗାଲୁରୁ ସମେତ ବିଭିନ୍ନ ସହରରେ ଆପଲ୍ ଷ୍ଟୋର୍ ଏବଂ ପ୍ରିମିୟମ୍ ରିସେଲର୍ ଷ୍ଟୋର୍ ବାହାରେ ଗ୍ରାହକଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି । ଅନେକ ଗ୍ରାହକ ଗୁରୁବାର ରାତିରୁ ଷ୍ଟୋର୍ ବାହାରେ ଅପେକ୍ଷା କରିଥିଲେ।
ମୁମ୍ବାଇରେ ଆପଲ୍ ଷ୍ଟୋର୍ ବାହାରେ ବିକ୍ରି ଆରମ୍ଭ ପୂର୍ବରୁ ହିଁ ବହୁ ସଂଖ୍ୟାରେ ଗ୍ରାହକ ଭିଡ଼ ଜମାଇଥିଲେ। ଜଣେ ଗ୍ରାହକ କହିଥିଲେ ଯେ ସେମାନେ ପୂରା ରାତି ଷ୍ଟୋର୍ ବାହାରେ ରହିଥିଲେ ଏବଂ ନୂଆ iPhone ପାଇଁ ବେଶ୍ ଉତ୍ସାହିତ ଅଛନ୍ତି।
ବେଙ୍ଗାଲୁରୁର ମଲ୍ ଅଫ୍ ଏସିଆରେ ଥିବା ‘ଇମାଜିନ୍ ଆପଲ୍ ପ୍ରିମିୟମ୍ ରିସେଲର୍ ଷ୍ଟୋର୍’ ବାହାରେ ମଧ୍ୟ ଲମ୍ବା ଲାଇନ୍ ଲାଗିଥିଲା। ଜଣେ ଗ୍ରାହକ କହିଛନ୍ତି ଯେ ସେ ସକାଳ ପ୍ରାୟ ୫ଟାରୁ ଷ୍ଟୋର୍ ବାହାରେ ଅପେକ୍ଷା କରିଥିଲେ। ତାଙ୍କ କହିବା ଅନୁସାରେ, ହରିୟାଣା, ଦିଲ୍ଲୀ ଓ ମୁମ୍ବାଇରୁ ମଧ୍ୟ ଲୋକେ iPhone କିଣିବାକୁ ଆସିଥିଲେ। ତାଙ୍କ ପାଇଁ iPhone ଲଞ୍ଚ ଏକ ପର୍ବ ଭଳି ବୋଲି ସେ କହିଛନ୍ତି।
ନୂଆଦିଲ୍ଲୀର ସାକେତସ୍ଥିତ ସିଲେକ୍ଟ ସିଟିୱାକ୍ ମଲ୍ରେ ଥିବା ଆପଲ୍ ଷ୍ଟୋର୍ ବାହାରେ ମଧ୍ୟ ସକାଳୁ ଗ୍ରାହକଙ୍କ ଭିଡ଼ ଦେଖାଯାଇଥିଲା। ଟେକ୍ ରିଭ୍ୟୁ କରୁଥିବା ସୂରଜ ଚୌହାନ କହିଛନ୍ତି ଯେ ସେ ପୂର୍ବରୁ iPhone 17 Pro କିଣିଥିଲେ ଏବଂ ଏବେ iPhone 18 Pro Max କିଣିବାକୁ ଆସିଛନ୍ତି। ରିପୋର୍ଟ ଅନୁସାରେ, ଭାରତରେ iPhone 18 Proର ପ୍ରାରମ୍ଭିକ ଦାମ ୧,୬୪,୯୦୦ ଟଙ୍କା, ଯେତେବେଳେ iPhone 18 Pro Maxର ପ୍ରାରମ୍ଭିକ ଦାମ ୧,୭୯,୯୦୦ ଟଙ୍କା ରହିଛି। ନୂଆ ମଡେଲ୍ଗୁଡ଼ିକରେ ବ୍ୟାଟେରୀ, କ୍ୟାମେରା ଓ ପରଫର୍ମାନ୍ସରେ ଉନ୍ନତି ସହ AI, ପ୍ରାଇଭେସି ଓ ସିକ୍ୟୁରିଟି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।
ଆପଲ୍ ଏହି ଲାଇନ୍ଅପ୍ ସହ ନିଜର ପ୍ରଥମ ଫୋଲ୍ଡେବଲ୍ ସ୍ମାର୍ଟଫୋନ୍ iPhone Duo ମଧ୍ୟ ଲଞ୍ଚ କରିଛି। ଭାରତରେ iPhone Duoର ବିକ୍ରି ଅକ୍ଟୋବର ୨୩ରୁ ଆରମ୍ଭ ହେବ ଏବଂ ଏହାର ପ୍ରାରମ୍ଭିକ ଦାମ ୨.୯୯ ଲକ୍ଷ ଟଙ୍କା ଥିବା ରିପୋର୍ଟରେ କୁହାଯାଇଛି।