ବଡ଼ ଧରଣର ଚଢ଼ାଉ: ୧୯ ଦୋକାନୀ ନାଁରେ ମାମଲା ରୁଜୁ, ଜରିମାନା ଆଦାୟ

ରିଷିଡ଼ା ୨୩।୬(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜିଲାରେ ତମାଖୁ ନିୟନ୍ତ୍ରଣ ଆଇନକୁ କଡ଼ାକଡ଼ି କରିବା ପାଇଁ ଏକ ସ୍ପେଶାଲ ସ୍କ୍ବାର୍ଡ ପକ୍ଷରୁ କର୍ଲାମୁଣ୍ତା ବ୍ଲକ ଅନ୍ତର୍ଗତ ଗଜବାହଲୟ, ରିଷିଡ଼ା ସମେତ ଅଞ୍ଚଳର ବିଭିନ୍ନ ବଜାରରେ ଥିବା ଖୁଚୁରା ତମାଖୁ ବିକ୍ରୟ କେନ୍ଦ୍ର ଉପରେ ଚଢ଼ାଉ କରାଯାଇଥିଲା। ଧୂମପାନ ଓ ତମାଖୁ ଦ୍ରବ୍ୟ ନିୟନ୍ତ୍ରଣ ଆଇନ-୨୦୦୩” ର ସଫଳ ରୂପାୟନ ଏବଂ ବିଶେଷ କରି ଶିକ୍ଷାନୁଷ୍ଠାନ ଆଖପାଖ ଅଞ୍ଚଳରେ ହେଉଥିବା ବେଆଇନ ତମାଖୁ କାରବାରକୁ ରୋକିବା ଲକ୍ଷ୍ୟରେ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।

ଚଢ଼ାଉ ବେଳେ ୧୯ଟି ଖୁଚୁରା ଦୋକାନୀ କୋଟପା ଆଇନର ନିୟମ ଉଲ୍ଲଂଘନ କରୁଥିବା ନେଇ ଅଧିକାରୀମାନେ ଚିହ୍ନଟ କରିଛନ୍ତି। ଏପରିକି ବେପାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ୩,୧୦୦ ଟଙ୍କା ଜରିମାନା ଆଦାୟ କରାଯିବା ସହ ସମ୍ପୃକ୍ତ ଦୋକାନୀଙ୍କୁ ଆଗାମୀ ଦିନରେ ନିୟମ ମାନି ଚଳିବାକୁ କଡ଼ା ଚେତାବନୀ ଦିଆଯାଇଛି।

ଚଢ଼ାରେ କଳାହାଣ୍ଡି ଜିଲା ଡ୍ରଗ୍ସ ଇନ୍ସପେକ୍ଟର ଅଶ୍ୱିନୀ କୁମାର ଗଣ୍ଡ, ଖାଦ୍ୟ ସୁରକ୍ଷା ଅଧିକାରୀ ବିଶ୍ୱଜିତ ନାଏକ, ଏଏମ-ଏନ୍‌ସିଡି ସଂଯୁକ୍ତା ବାଗ ଏବଂ ମଦନପୁର ରାମପୁର ଓ କର୍ଲାମୁଣ୍ଡା ଅଞ୍ଚଳର ଅବକାରୀ ଅଧିକାରୀ ନରେନ୍ଦ୍ର ମିଞ୍ଜ ପ୍ରମୁଖ ସାମିଲ ହୋଇଥିଲେ।

ଏହା ସହିତ ସୁରକ୍ଷା ଓ ଶାନ୍ତିଶୃଙ୍ଖଳାକୁ ଦୃଷ୍ଟିରେ ରଖି ସ୍ଥାନୀୟ ପୋଲିସ କର୍ମଚାରୀ ସହଯୋଗ କରିଥିଲେ। କଳାହାଣ୍ଡି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ବଜାରରେ ଥିବା ସମସ୍ତ ଖୁଚୁରା ବ୍ୟବସାୟୀ କୋଟପା ଆଇନ ଅନୁଯାୟୀ ସରକାରୀ ନିୟମାବଳୀ ମାନିବା ବାଧ୍ୟତାମୂଳକ ଏବଂ ଆଗାମୀ ଦିନରେ ମଧ୍ୟ ଜିଲାର ବିଭିନ୍ନ ବଜାରରେ ଥିବା ଦୋକାନଗୁଡ଼ିକରେ ଏଭଳି ଚଢ଼ାଉ ଜାରି ରହିବ ବୋଲ ଅବଗତ କରାଯାଇଛି।

Share