ଆମେରିକା ସ୍କୁଲରେ ଫୁଟିଲା ଗୁଳି, ଅନେକେ ଆହତ

କାଲିଫର୍ନିଆ,୨୯ ।୯: ଆମେରିକା ଏବେ ଦେଶରେ ଅସ୍ତ୍ରଶସ୍ତ୍ରର ଭୁଲ ବ୍ୟବହାରକୁ ନେଇ ଅଡୁଆରେ ପଡି ଯାଇଛି । କାଲିଫର୍ନିଆରେ ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି । ଏଥର ସ୍କୁଲ ପିଲାମାନଙ୍କୁ ଟାର୍ଗେଟ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଜଣେ ସନ୍ଦିଗ୍ଧ ଏକ ସ୍କୁଲରେ ଗୁଳି ଫୁଟାଇଛନ୍ତି । ଓକଲ୍ୟାଣ୍ଡରେ ଥିବା ଏକ ସ୍କୁଲରେ ଏହି ଗୁଳିକାଣ୍ଡ ହୋଇଛି । ଏଥିରେ ଅନେକେ ଆହତ ହୋଇଥିବା ସୂଚନା ମିଳିଥିବା ବେଳେ ମୃତ୍ୟୁ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ ।
ଘଟଣା ସମ୍ପର୍କରେ ସୂଚନା ପାଇ ତୁରନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ଏହାପରେ ସମ୍ପୂର୍ଣ୍ଣ ଅଞ୍ଚଳକୁ ସିଲ୍ କରାଯାଇଛି । ଏହି ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ସଂଖ୍ୟା ୫ରୁ ଅଧିକ ବୋଲି କୁହାଯାଉଛି । ପୋଲିସ କହିଛି ଏପଯ୍ୟନ୍ତ ୬ ଜଣଙ୍କ ଦେହରେ ଗୁଳି ବାଜିଥିବା ଜଣାପଡିଛି । ଏମାନଙ୍କ ମଧ୍ୟରୁ ୩ ଜଣ ଗୁରୁତର ରହିଛନ୍ତି । ସମସ୍ତଙ୍କ ଚିକିତ୍ସା ଚାଲିଛି । ତେବେ ଆହତଙ୍କ ମଧ୍ୟରେ କୌଣସି ସ୍କୁଲ ପିଲା ନ ଥିବା ବେଳେ ଏହା ପଛରେ କାହାର ହାତ ରହିଛି ତାକୁ ନେଇ ପୋଲିସ ଯାଞ୍ଚ ଆରମ୍ଭ କରିଛି ।

Share