ଗହୀରମଥାରେ ଅଲିଭରିଡ୍‌ଲେଙ୍କ ଗଣ ଅଣ୍ଡାଦାନ ଆରମ୍ଭ

ରାଜନଗର,୨୭।୩(ଡି.ଏନ.ଏ.): ବିରଳ ଅଲିଭରିଡ୍‌ଲେ କଇଁଛଙ୍କ ଏନ୍ତୁଡିଶାଳ କେନ୍ଦ୍ରାପଡ଼ା ଉପକୂଳ ଗହୀରମଥାରେ କଇଁଛଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଗତ ୨୩ ତାରିଖରେ ୧୫, ୨୪ରେ ୧୬୨ ଓ ୨୫ ତାରିଖରେ ୨ ଲକ୍ଷ ୪୫ ହଜାର ୧୮୮ ଅଲିଭରିଡ୍‌ଲେ କଇଁଛ ଗଣ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ମା’ କଇଁଛମାନେ ସମୁଦ୍ର କୂଳଠାରୁ ୧ କି.ମି. ଭିତରେ ଗତ୧ ମାସ ହେଲା ଭିଡ଼ ଜମାଇଥିଲେ। ପାଗ ଅନୁକୂଳ ହେଉ ନ ଥିବାରୁ ଗଣ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହେଉ ନ ଥିଲେ। ଶୁକ୍ରବାର ପାଗ ଶୁଖିଲା ସାଙ୍ଗକୁ ଦକ୍ଷିଣା ପବନ ବୋହିବାରୁ ଗୋଟିଏ ଦିନରେ ୨ ଲକ୍ଷ ୪୫ ହଜାର ୧୮୮ ଅଲିଭରିଡ୍‌ଲେ ଗଣ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି।
ଶୁକ୍ରବାର ସନ୍ଧ୍ୟାରୁ ଦଳ ଦଳ ହୋଇ ମା’ କଇଁଛମାନେ ଗହୀରମଥାର ନାସୀ-୨ ବାଲୁକା ଶଯ୍ୟାକୁ ଆସିଥିଲେ। ଶନିବାର ଭୋର ଯାଏ ଏହି ପକ୍ରିୟା ଜାରି ରହିଥିଲା। ମା’ କଇଁଛମାନେ ବେଳାଭୂମିର ନରମ ବାଲିରେ ପଛପଟ ଗୋଡ଼ରେ ୧ ଫୁଟରୁ ଦେଢ ଫୁଟ୍‌ ଗଭୀରର ମାଠିଆ ଆକୃତିର ଗାତ ଖୋଳିଥାନ୍ତି । ଗାତ ଖୋଳିବା ପରେ ମା’ କଇଁଛ ପ୍ରାୟ ୧୦୦ଟିରୁ ଊର୍ଦ୍ଧ୍ୱ ଅଣ୍ଡା ଦେଇଥାଏ। ଅଣ୍ଡାର ଖୋଳପା ନମନୀୟ ହୋଇଥିବାରୁ ତାହା ଫାଟି ନ ଥାଏ। ଅଣ୍ଡା ଦେଇସାରିବା ପରେ ମା’ କଇଁଛ ତା’ର ଗାତକୁ ବାଲି ଘୋଡାଇ ଲୁଚାଇ ପକାଏ ଓ ସମୁଦ୍ରକୁ ଫେରିଯାଏ। ସୂର୍ଯ୍ୟଙ୍କ ଉତ୍ତାପରେ ଉଷୁମ ହୋଇ ଅଣ୍ଡାଗୁଡିକରୁ ୪୫ରୁ ୬୦ ଦିନ ମଧ୍ୟରେ କଇଁଛ ଶାବକ ବାହାରିଥାନ୍ତି। ବିରଳ ଅଲିଭରିଡଲେ କଇଁଛଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ଏମାନଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ କଟକଣା କଡାକଡି କରାଯାଇଛି। ୩ କି.ମି. ଯାଏ ବାଡ଼ ବୁଲାଯିବା ସହ ବନ କର୍ମଚାରୀମାନେ ଅଣ୍ଡାଦାନ ସ୍ଥଳକୁ ଜଗି ରହିଛନ୍ତି। ରାଜନଗର ଓ ଭଦ୍ରକ ଡିଭିଜନ ପକ୍ଷରୁ ଅଲିଭରିଡଲେଙ୍କ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ରାଜନଗର ଡିଏଫ୍‌ଓ ଡ. ଯଜ୍ଞଦତ୍ତ ପତି, ଭଦ୍ରକ ଏସିଏଫ୍‌ ଶ୍ୟାମା ଭାରତୀ, କନିକା ରେଞ୍ଜ ଅଫିସର ମାନସ କୁମାର ଦାସ ପ୍ରମୁଖ ଅଣ୍ଡାଦାନ ସ୍ଥଳରେ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରୁଛନ୍ତି। ଏକାଧିକ ବୋଟ୍‌କୁ ଭଡ଼ାରେ ଅଣାଯାଇ ପାଟ୍ରୋଲିଂ ଚାଲିଛି। ଟ୍ରଲରଗୁଡ଼ିକ ଯେପରି ନିଷିଦ୍ଧାଞ୍ଚଳକୁ ପ୍ରବେଶ ନ କରନ୍ତି ସେଥିପାଇଁ ନଜର ରଖାଯାଇଛି ା