Categories: ଜାତୀୟ

ବିମାନ ଯାତ୍ରାରେ ମାସ୍କ ବାଧ୍ୟତାମୂଳକ

ନୂଆଦିଲ୍ଲୀ,୮ା୬: ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶକ (ଡିଜିସିଏ) କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିମାନବନ୍ଦରଗୁଡିକ ପାଇଁ ନୂତନ ନିୟମ ଲାଗୁ କରିଛନ୍ତି। ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଡିଜିସିଏ ନୂତନ ନିୟମ ଜାରି କରିଛି। ସମସ୍ତ ବିମାନବନ୍ଦରରେ ଏବଂ ବିମାନ ଭିତରେ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି। ଡିଜିସିଏ ଏହାର ନୂତନ ଗାଇଡ୍‌ଲାଇନରେ କହିଛି, ଉଡ଼ାଣରେ ମାସ୍କ ପିନ୍ଧି ନ ଥିବା ସେହି ଯାତ୍ରୀଙ୍କୁ ‘ଉଲ୍ଲଂଘନକାରୀ’ ଭାବରେ ବିବେଚନା କରାଯିବ। ଡିଜିସିଏ ଆହୁରି ମଧ୍ୟ କହିଛି, ଏଭଳି ଯାତ୍ରୀଙ୍କୁ ବିମାନରୁ ବାହାରି କରିଦିଆଯିବ।

ଯାତ୍ରୀମାନେ କୋଭିଡ୍‌ ଗାଇଡ୍‌ଲାଇନ୍‌ ମାନିବାକୁ ବାଧ୍ୟ। ଯେପରିକି ହାତର ସ୍ବଚ୍ଛତା, ମାସ୍କ ପିନ୍ଧିବା ଇତ୍ୟାଦି ଅନୁସରଣ କରିବାର ଆବଶ୍ୟକତା ଉପରେ ବିମାନ ସେବା ନିୟମିତ ଘୋଷଣା କରିବ। ଏୟାରଲାଇନ ଅତିରିକ୍ତ ଫେସ୍‌ ମାସ୍କର ବ୍ୟବସ୍ଥା କରିବ ଏବଂ ଆବଶ୍ୟକ ହେଲେ ଯାତ୍ରୀମାନଙ୍କୁ ଯୋଗାଇବ।

ବିମାନବନ୍ଦରର ପ୍ରବେଶ ପଥରେ ନିୟୋଜିତ ସିଏସ୍‌ଏଫ୍‌ ଏବଂ ଅନ୍ୟ ପୋଲିସ କର୍ମଚାରୀ ନିଶ୍ଚିତ କରିବେ ଯେ, ମାସ୍କ ପିନ୍ଧି ନ ଥିଲେ କାହାକୁ ବିମାନ ବନ୍ଦରରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ। ସିଏଏସ୍‌ଓ ଏବଂ ଅନ୍ୟ ତଦାରଖକାରୀ ଅଧିକାରୀମାନେ ଏହାକୁ ବ୍ୟକ୍ତିଗତ ଭାବରେ ନିଶ୍ଚିତ କରିବା ଜରୁରୀ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି। କେବଳ ବିଶେଷ କ୍ଷେତ୍ରରେ ମାସ୍କ ଖୋଲିବା ଅନୁମତି ମିଳିବ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ବୁଧବାର ମୋଟ୍‌ ୫,୨୩୩ଟି ନୂଆ ମାମଲା ଦେଖିବାକୁ ମିଳିଛି। ମଙ୍ଗଳବାର ତୁଳନାରେ କରୋନା ମାମଲାରେ ପ୍ରାୟ ୪୧ ପ୍ରତିଶତ ବୃଦ୍ଧି ଘଟିଛି। ମଙ୍ଗଳବାର ୩,୭୧୪ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ମନ୍ତ୍ରଣାଳୟ କହିଛି, ଏହି ସମୟ ମଧ୍ୟରେ ୭ ଜଣଙ୍କର ମଧ୍ୟ ମତ୍ୟୁ ଘଟିଛି। କରୋନା ମାମଲା କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଦେଶରେ କରୋନାର ସକ୍ରିୟ ମାମଲା ବର୍ତ୍ତମାନ ୨୮୮୫୭କୁ ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି କରୋନା କଟକଣାକୁ କଡ଼ାକଡ଼ି କରାଯାଇଛି।

Share