Categories: ଫୁରସତ

ସମୁଦ୍ର କୂଳରେ ପଡୁଛି ଶହ ଶହ ମାସ୍କ, ପିପିଇ କିଟ୍‌, ପକ୍ଷୀ କଲା ଏମିତି

କରୋନା ମହାମାରୀ ଯୋଗୁ ମାସ୍କର ଚାହିଦା ବଢ଼ିଚାଲିଛି। କାରଣ ଏଥିରୁ ରକ୍ଷା ପାଇବାକୁ ହେଲେ ମାସ୍କ ବାଧ୍ୟତାମୂଳକ। ମାତ୍ର ସବୁଠୁ ଚିନ୍ତାଜନକ ବିଷୟ ହେଉଛି ଲୋକେ ମାସ୍କ ବ୍ୟବହାର କରି ଏତେତେଣେ ଫିଙ୍ଗି ଦେଉଛନ୍ତି। ଯାହାକୁ ବିଭିନ୍ନ ସମୟରେ ପଶୁପକ୍ଷୀମାନେ ଧରି ବୁଲୁଥିବା ନଜର ଆସୁଛି। ଏବେ ଏମିତି ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଯୁକ୍ତରାଷ୍ଟ୍ର ଆମେରିକା ବାସିନ୍ଦା ୫୨ ବର୍ଷୀୟ ନିକ୍‌ ସାଇକେଲରେ ଯିବା ସମୟରେ ସେଗୁଲ ସମୁଦ୍ର କୂଳରେ କିଛି ମାସ୍କ ପଡ଼ିଥିବା ଦେଖିବାକୁ ପାଇଥିଲେ। ସେଠାରେ ପକ୍ଷୀଟିଏ ମାସ୍କକୁ ଥଣ୍ଟରେ ଧରି ଯାଉଥିବାର ଏକ ଫଟୋ ଉଠାଇଥିଲେ। ଯାହା ତାଙ୍କୁ ଆଘାତ ଦେଇଥିଲା। ଏଥିରେ ସେ ଖୁବ୍‌ ରାଗି ଯାଇଥିଲେ।

ଛୁଟିଦିନ ପାଇଁ ଏହି ସହରଟି ବେଶ୍‌ ଲୋକପ୍ରିୟ। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ବହୁତ ଲୋକ ଏଠାକୁ ବୁଲିବାକୁ ଆସିଥାନ୍ତି। ପରେ ମାସ୍କ, ପିପିଇ କିଟ୍‌ ଏଣେତେଣେ ଫିଙ୍ଗି ଦେଇ ଚାଲିଯାନ୍ତି।

ଏହି ଫଟୋକୁ ବ୍ୟବସାୟୀ ଧନରାଜ ନାଥଓ୍ବାନି ଏବଂ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦା ତାଙ୍କ ଟୁଇଟରେ ଶେୟାର କରିଛନ୍ତି। ନାଥଓ୍ବାନି କ୍ୟାପଶନ ଲେଖିଛନ୍ତି, ଏହି ଫଟୋ ଆମକୁ ଏକ ଶକ୍ତିଶାଳୀ ବାର୍ତ୍ତା ଦେଉଛି ଯେ, ଆମକୁ ପରିବେଶ ସଫାସୁତରା ରଖିବା କେତେ ଆବଶ୍ୟକ। ଆମକୁ ଧ୍ୟାନ ଦେବାକୁ ପଡ଼ିବ ଖୋଲାସ୍ଥାନରେ ମାସ୍କ ଫିଙ୍ଗିବା ଦ୍ୱାରା ଜଳ ଏବଂ ମାଟି ଦୂଷିତ ହେବ।

ସେହିପରି ଆଇଏଫ୍‌ଏସ୍‌ ସୁଶାନ୍ତ ନନ୍ଦା ମଧ୍ୟ ତାଙ୍କର ବ୍ୟକ୍ତିଗତ ମତ ଦେଇଛନ୍ତି। ସେ ଲେଖିଛନ୍ତି, ଏପରି କରିବା ଆଦୌ ଉଚିତ୍‌ ନୁହେଁ। ଏହା ଦ୍ୱାରା ପରିବେଶ ପ୍ରଦୂଷିତ ହେବା ସହ ପଶୁପକ୍ଷୀମାନେ କ୍ଷତିଗ୍ରସ୍ତ ହେବେ। ଖୋଲା ସ୍ଥାନରେ ଏହାକୁ ଫିଙ୍ଗିବା ଅନୁଚିତ।

Share