ମଣିସ ହସିଲେ ହସୁଛି ମାସ୍କ

ମହାମାରୀ କରୋନା ସମଗ୍ର ବିଶ୍ୱରେ ବ୍ୟାପିବାରେ ଲାଗିଛି। ଏହା ଦ୍ୱାରା ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଏଥିରୁ ରକ୍ଷା ପାଇବା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଟିକା ବାହାରି ନାହିଁ। ତେଣୁ ଏବେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱକୁ ପ୍ରାଧାନ୍ୟ ଦିଆଯାଉଛି। ମାତ୍ର ମାସ୍କ ଏବେ ଫ୍ୟାସନର ପରିଣତ ହେବାରେ ଲାଗିଲାଣି। କେହି କେହି ସୁନାର ମାସ୍କ ତିଆରି କରି ପୁନ୍ଧୁଛନ୍ତି ତ ଆଉ କେହି ହିରାର। ଏମିତି ଖବର ଅନେକ ସମୟରେ ଶୁଣିବାକୁ ମିଳୁଛି। ଏବେ ଆମେରିକାର ଗେମ୍‌ ଡିଜାଇନର ତଥା ପ୍ରୋଗ୍ରାମର ଟେଲର ଗ୍ଲେୟଲ ଏକ ସ୍ବତନ୍ତ୍ର ପ୍ରକାରର ମାସ୍କ ତିଆରି କରିଛନ୍ତି। ଏହାକୁ ଲଗାଇ କଥାହେବା ଦ୍ୱାରା ଏଥିରେ ଲାଗିଥିବା ଏଲ୍‌ଇଡି ଲାଇଟ୍‌ ଜଳିଥାଏ। ଏହି ଲାଇଟ୍‌ ଜଣାଇଦେବ ସାମ୍ନାବାଲା କେତେବେଳେ କଥା କହୁଛନ୍ତି ଆଉ କେତେବେଳେ ଚୁପ୍‌ ରହୁଛନ୍ତି। ହସିବା ଦ୍ୱାରା ମାସ୍କ ସମ୍ମୁଖରେ ଏକ ସ୍ମାଇଲ୍‌ ଚିହ୍ନ ଆସିଥାଏ। ଏହି ମାସ୍କରେ ୧୬ଟି ଏଲ୍‌ଇଡି ଲାଇଟ୍‌ ସହ ଏକ ଭଏସ୍‌ ପ୍ୟାନେଲ ମଧ୍ୟ ଲାଗିଛି, ଯାହାକି ଏଲ୍‌ଇଡି ସହିତ ଜଡିତ। ଏହାକୁ ପିନ୍ଧି ଜଣେ ବ୍ୟକ୍ତି ହସିଲେ କିମ୍ବା କଥା ହେଲେ ଏହା ଜଳିଥାଏ।
ଟେଲରଙ୍କ କହିବାନୁଯାୟୀ, ଅନଲାଇନ୍‌ରୁ ସେ ଏପରି ମାସ୍କ ଖୋଜିଥିଲେ। ମାତ୍ର ନ ମିଳିବାରୁ ଏପରି ମାସ୍କ ତିଆରି କରିବା ପାଇଁ ତାଙ୍କ ମୁଣ୍ଡରେ ଆଇଡିଆ ଆସିଲା। ଏଥିପାଇଁ ତାଙ୍କୁ ପ୍ରାୟ ୧ ମାସ ସମୟ ଲାଗିଥିବା ସେ କହିଛନ୍ତି। ଏହା କପଡ଼ାରେ ତିଆରି। ଏହାକୁ ଧୋଇବା ପୂର୍ବରୁ ଏଥିରୁ ଏଲ୍‌ଇଡି ଲାଇଟ୍‌ ପ୍ୟାନେଲକୁ ବାହାର କରିବାକୁ ହେବ। ଏଥିରେ ୯ ଓ୍ବାଟ୍‌ର ବ୍ୟାଟେରୀ ଲାଗିଛି। ଏହା ମୂଲ୍ୟ ୩୮୦୦ ଟଙ୍କା।

Share