ଶହୀଦ ସ୍ବାମୀଙ୍କ ଜୁଇରେ ଶୋଇଲେ ସ୍ତ୍ରୀ

ମାଲକାନଗିରି,୨୯।୪(ଡି.ଏନ୍‌.ଏ.): ଜଣେ ଶହୀହ ଯବାନଙ୍କ ସ୍ତ୍ରୀ କାନ୍ଦି କାନ୍ଦି ସ୍ବାମୀଙ୍କ ଜୁଇରେ ଶୋଇରହିବା ଦୃଶ୍ୟ ସମସ୍ତଙ୍କୁ ବିଚଳିତ କରି ପକାଇଛି। ସ୍ବାମୀଙ୍କ ସହିତ ତାଙ୍କୁ ପୋଡ଼ି ଦେବାକୁ ଜିଦ୍‌ ଧରିବା ଅତୀତର ସତୀଦାହ ପ୍ରଥାକୁ ମନେ ପକାଇ ଦେଇଥିଲା। ଗ୍ରାମବାସୀ ଓ ସୁରକ୍ଷା କର୍ମୀ ବୁଝାଶୁଝା କରି ସମ୍ପୃକ୍ତା ମହିଳାଙ୍କୁ ଜୁଇରୁ ଉଠାଇ ଆଣିବା ପରେ ଯବାନଙ୍କ ଅନ୍ତିମ ସଂସ୍କାର କରାଯାଇଛି।
ଛତିଶଗଡ଼ ଦାନ୍ତଓ୍ବୋଡା ଜିଲା ଅରନପୁର ଅଞ୍ଚଳରେ ଗତ ବୁଧବାର ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୧୦ ଯବାନ ଓ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା।
ଗୁରୁବାର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ ସହ ସଲାମୀ ଦିଆଯାଇଥିଲା। ଶହୀଦଙ୍କ ମୃତଦେହ ଛତିଶଗଡ ସରକାରଙ୍କ ଦ୍ୱାରା ସେମାନଙ୍କ ଜନ୍ମମାଟିକୁ ପଠାଯାଇଥିଲା। ମାଓବାଦୀଙ୍କ ଭୟରେ ୨ ଶହୀଦଙ୍କ ମୃତଦେହ ନେବାକୁ ସେମାନଙ୍କ ପରିବାର ଲୋକେ ଆସି ନ ଥିବାରୁ ଦାନ୍ତଓ୍ବୋଡା ଜିଲା ପ୍ରଶାସନ ପକ୍ଷରୁ ଅନ୍ତିମ ସଂସ୍କାର କରାଯାଇଥିଲା। ବେଡେଗଡା ବାସିନ୍ଦା ଶହୀଦ ରାଜୁ କରାଚଙ୍ଗଙ୍କ ପାର୍ଥିବ ଶରୀର ତାଙ୍କ ଗ୍ରାମରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଆଖପାଖ ଅଞ୍ଚଳର ସମ୍ପର୍କୀୟମାନେ ଏହି ଦୁଃଖଦ ଘଟଣାକୁ ସହି ପାରି ନ ଥିଲେ। କାନ୍ଦ ବୋବାଳିରେ ଅଞ୍ଚଳ ଫାଟି ପଡୁଥିଲା। ଆଦିବାସୀ ପରମ୍ପରା ଅନୁଯାୟୀ ଶ୍ମଶାନରେ ଶହୀଦ ରାଜୁଙ୍କ ଶେଷକୃତ୍ୟ ନିମନ୍ତେ ପ୍ରସ୍ତୁତି ଜୁଇ ସଜଡା ଯାଇଥିଲା। ଏହି ସମୟରେ ତାଙ୍କ ସ୍ତ୍ରୀ ରେଶ୍‌ମା ଅତ୍ୟଧିକ ଭାବବିହ୍ବଳ ହୋଇ କାନ୍ଦି କାନ୍ଦି ଜୁଇ ପାଖକୁ ଚାଲି ଯାଇଥିଲେ। ‘ମୋ ସ୍ବାମୀଙ୍କ ସହିତ ମୁଁ ଚାଲିଯିବି, ମୋ ସ୍ବାମୀଙ୍କ ସହ ମୋତେ ମଧ୍ୟ ପୋଡିଦିଅ’ ବୋଲି କହି ସେ ଜୁଇ ଉପରେ ଶୋଇ ପଡିିଥିଲୋ। ଏପରି ଦୃଶ୍ୟ ଦେଖିବା ପରେ ସେଠାରେ ଥିବା ଲୋକଙ୍କ ଆଖିରେ ଲୁହ ଆସି ଯାଇଥିଲା। ଶ୍ମଶାନରେ ଉପସ୍ଥିତ ସୁରକ୍ଷା କର୍ମୀ, ଗ୍ରାମ ମୁଖିଆମାନେ ବଳପୂର୍ବକ ରେଶ୍‌ମାଙ୍କୁ ଜୁଇ ଉପରୁ ଉଠାଇ ଆଣି ବୁଝାଶୁଝା କରିବା ପରେ ଶହୀଦ ରାଜୁଙ୍କ ଅନ୍ତିମ ସଂସ୍କାର କରାଯାଇଛି।