Categories: ଜାତୀୟ

ମଙ୍ଗଳୟାନର ମିଶନ ଶେଷ

ବେଙ୍ଗାଲୁରୁ, ୩ା୧୦: ଭାରତର ପ୍ରଥମ ମଙ୍ଗଳମିଶନରେ ସାମିଲ ମହାକାଶଯାନ ‘ମଙ୍ଗଳୟାନ’ ଲୋହିତ ଗ୍ରହରେ ଏହାର ମିଶନ ଶେଷ କରିଛି। ମାତ୍ର ୨୦୧୩ରେ ମଙ୍ଗଳୟାନକୁ ଲାଲ ଗ୍ରହର କକ୍ଷପଥରେ ସଫଳତାର ସହ ସ୍ଥାପନ କରାଯାଇଥିଲା। ୬ ମାସ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହେବା ପାଇଁ ଡିଜାଇନ ହୋଇଥିବା ଏହି କୃତ୍ରିମ ଉପଗ୍ରହ ୮ ବର୍ଷ ଧରି ମଙ୍ଗଳ ଅର୍ବିଟରେ କାର୍ଯ୍ୟ କରୁଥିଲା। ମାର୍ସ ଅର୍ବିଟର ମିଶନ (ଏମ୍‌ଓଏମ୍‌)ରେ ଏବେ ଇନ୍ଧନ ଶେଷ ହେବା ସହ ଏହାର ବ୍ୟାଟେରି ମଧ୍ୟ ଶେଷ ହୋଇଛି। ଫଳରେ ତାହାକୁ ମଙ୍ଗଳ କକ୍ଷରେ ପୁଣି କାର୍ଯ୍ୟକ୍ଷମ କରାଇବା କଷ୍ଟକର ହୋଇଛି।
୪୫୦ କୋଟି ଟଙ୍କା ବ୍ୟୟରେ ଏମ୍‌ଓଏମ୍‌କୁ ୨୦୧୩ ନଭେମ୍ବର ୫ରେ ପିଏସ୍‌ଏଲ୍‌-ସି୨୫ ଜରିଆରେ ଲଞ୍ଚ୍‌ କରାଯାଇଥିଲା। ୨୦୧୪ ସେପ୍ଟେମ୍ବର ୨୪ରେ ୧୩୫୦ କେଜିର ମଙ୍ଗଳୟାନ ମଙ୍ଗଳ କକ୍ଷରେ ପହଞ୍ଚିଥିଲା। ଭାରତ ପ୍ରଥମ ଥରରେ ହିଁ ମଙ୍ଗଳୟାନକୁ ମଙ୍ଗଳ ଗ୍ରହରେ ସଫଳତାର ସହ ସ୍ଥାପନ କରିଥିଲା। ଏବେ ଉକ୍ତ କୃତ୍ରିମ ଉପଗ୍ରହର ବ୍ୟାଟେରି ଓ ଇନ୍ଧନ ସରିଯାଇଥିବା ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ କୁହାଯାଇଛି। ଏଥିସହ ମଙ୍ଗଳୟାନ ସହ ଯୋଗାଯୋଗ ମଧ୍ୟ ବିଚ୍ଛିନ୍ନ ହୋଇଯାଇଛି। କ୍ରମାଗତ ଭାବେ ଚନ୍ଦ୍ର୍ରଗ୍ରହଣ ଏହାର ବ୍ୟାଟେରି ଉପରେ ପ୍ରଭାବ ପକାଇଛି।

ଗୋଟିଏ ଚନ୍ଦ୍ରଗ୍ରହଣ ପ୍ରାୟ ସାଢ଼େ ୭ ଘଣ୍ଟା ଧରି ଲାଗିରହିଥିଲା। ଏହାର ବ୍ୟାଟେରି ୧ ଘଣ୍ଟା ୪୦ ମିନିଟ୍‌ ପର୍ଯ୍ୟନ୍ତ ଚନ୍ଦ୍ରଗ୍ରହଣରେ ବ୍ୟାକ୍‌ଅପ୍‌ ରଖିବାର କ୍ଷମତାରେ ଡିଜାଇନ୍‌ କରାଯାଇଥିଲା। ଦୀର୍ଘସମୟ ଚନ୍ଦ୍ରଗ୍ରହଣ ଯୋଗୁ ବ୍ୟାଟେରି ଶୀଘ୍ର ଖରାପ ହୋଇଯାଇଥିବା ଜଣାପଡ଼ିଛି। ଆଗକୁ ଭାରତ ଆଉ ଏକ ମଙ୍ଗଳ ମିଶନ ଆରମ୍ଭ କରିବାକୁ ଯୋଜନା କରିଛି। ଚନ୍ଦ୍ରୟାନ-୩ର ଲଞ୍ଚ୍‌ ପରେ ମଙ୍ଗଳୟାନ-୨ ଉତ୍‌କ୍ଷେପଣ କାମ ଆରମ୍ଭ ହେବ ବୋଲି ଇସ୍ରୋର ପୂର୍ବତନ ମୁଖ୍ୟ କେ. ଶିବନ୍‌ ପୂର୍ବରୁ କହିଥିଲେ।

Share