ମାର୍ଶାଘାଇରେ ଚାଞ୍ଚଲ୍ୟ: ଘର ଆଗରେ ହାତଗୋଡ଼ ବନ୍ଧା ଅବସ୍ଥାରେ ଯୁବକଙ୍କ ମୃତଦେହ, ପୋଲିସ ଜବତ କରି…

ମାର୍ଶାଘାଇ,୨୯ା୮(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ବେରୁହାଁ ପଞ୍ଚାୟତର ହଳଦିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସ୍ଥାନୀୟ ଅଶୋକ ଦାସଙ୍କ ପୁଅ ଚନ୍ଦନ ଦାସ ଓରଫ ହାପି (୩୦)ଙ୍କ ମୃତଦେହ ତାଙ୍କ ଘର ସମ୍ମୁଖରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଉଦ୍ଧାର କରାଯାଇଛି।

ଶନିବାର ସକାଳେ ଚନ୍ଦନଙ୍କ ମୃତଦେହ ଘର ଆଗରେ ପଡ଼ିଥିବା ଦେଖିବାକୁ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା ଏବଂ ଘଟଣାସ୍ଥଳରେ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା। ଖବର ପାଇ ମାର୍ଶାଘାଇ ଥାନା ଆଇଆଇସି ତପନ ନାୟକଙ୍କ ନେତୃତ୍ୱରେ ପୋଲିସ ଟିମ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

ତଦନ୍ତକୁ ଅଧିକ କ୍ରିୟାଶୀଳ କରିବା ପାଇଁ କେନ୍ଦ୍ରାପଡ଼ାରୁ ସାଇଣ୍ଟିଫିକ ଟିମ୍‌ ଏବଂ ଡଗ୍‌ ସ୍କ୍ବାଡ୍‌ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ନମୁନା ସଂଗ୍ରହ କରୁଛନ୍ତି। ପାରିପାର୍ଶ୍ୱିକ ସ୍ଥିତିକୁ ଲକ୍ଷ୍ୟ କଲେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଥିବା ବେଳେ ସମ୍ପୂର୍ଣ୍ଣ ଘଟଣାଟି ଏବେ ବି ରହସ୍ୟାବୃତ୍ତ ରହିଛି। ପୋଲିସ ଘଟଣାର ବିଭିନ୍ନ ଦିଗକୁ ନେଇ ଅଧିକ ତଦନ୍ତ ଚଳାଇଛି।

Dharitri – Odisha’s No.1 Odia Daily

Share