Categories: ଜାତୀୟ

ପବ୍‌ଜୀ ଖେଳାଳିଙ୍କ ପ୍ରେମରେ ସ୍ବାମୀଙ୍କୁ ଛାଡ଼ି ବିହାର ପହଞ୍ଚିଲେ ମହିଳା

ମହାରାଜଗଞ୍ଜ,୧୭।୩: ଆଜିକାଲିର ସମୟରେ ସମୟ ଅତିବାହିତ କରିବାର ମାଧ୍ୟମ ପାଲଟିଛି ଅନ୍‌ଲାଇନ୍‌ ଗେମ୍‌। ହେଲେ ଏହାର ଅନେକ କୁପ୍ରଭାବ ପଡ଼ୁଥିବା ନଜର ଆସୁଛି। କେହି ଠକାମୀର ଶିକାର ହେଉଥିବା ବେଳେ କିଛି ଖେଳୁଖେଳୁ ପ୍ରେମରେ ପଡ଼ୁଥିବା ଘଟଣା ସାମ୍ନାକୁ ଆସୁଛି। ସେଭଳି ଏକ ସଦ୍ୟ ଘଟଣା ଉତ୍ତରପ୍ରଦେଶର ମହାରାଜଗଞ୍ଜ ଜିଲାରେ ଦେଖିବାକୁ ମିଳିଛି। ଜିଲାର ଶ୍ୟାମଡୁରୁଓ୍ବା ପୋଲିସ ଥାନା ଅଞ୍ଚଳରେ ରହୁଥିବା ଜଣେ ବିବାହିତା ମହିଳା ପବ୍‌ଜୀ ଖେଳୁଥିବା ବେଳେ ପ୍ରେମରେ ପଡ଼ିଥିଲେ। ଏପରିକି ସେ ପ୍ରେମିକଙ୍କୁ ଭେଟିବା ଲାଗି ବିହାରରେ ପହଞ୍ଚିଥିଲେ। ଏନେଇ ଅଭିଯୋଗ ହେବା ପରେ ପୋଲିସ ମହିଳାଙ୍କୁ ଉଦ୍ଧାର କରି ସ୍ବାମୀଙ୍କ ନିକଟକୁ ପଠାଇଛି।

ପୋଲିସଠାରୁ ମିଳିଥିବା ସୂଚନାନୁଯାୟୀ, ମହିଳାଜଣଙ୍କ ନିଜର ଖାଲି ସମୟରେ ପବ୍‌ଜି ଖେଳୁଥିଲେ। ଏହି ସମୟରେ ବିହାରର ମୁଜଫ୍ଫରନଗରରେ ରହୁଥିବା ଜଣେ ପବ୍‌ଜୀ ଖେଳାଳିଙ୍କୁ ଭଲପାଇ ବସିଥିଲେ। ମାର୍ଚ୍ଚ ୩ ରାତିରେ ସେ ହଠାତ୍‌ ଘରୁ ନିଖୋଜ ହୋଇଯାଇଥିଲେ। ସ୍ତ୍ରୀଙ୍କ ନିଖୋଜ ନେଇ ସ୍ବାମୀ ଅଭିଯୋଗ କରିଥିଲେ। ପରେ ପୋଲିସ ଖୋଜାଖୋଜି କରିବା ପରେ ସେ ପ୍ରେମିକଙ୍କୁ ଭେଟିବାକୁ ଯାଇଥିବା ଜାଣିବାକୁ ପାଇଥିଲା। ପରେ ତାଙ୍କୁ ପୋଲିସ ଉଦ୍ଧାର କରିବାରେ ସଫଳ ହୋଇଛି।

Share