୨ ମାସ ତଳେ କରିଥିଲେ ବିବାହ: ପିନ୍ଧା ଲୁଗାରେ ଜୀବନ ହାରିଲେ ନବବଧୂ

ବ୍ରହ୍ମପୁର ଅଫିସ,୩୦ା୧: ପିନ୍ଧା ଲୁଗାରେ ଝୁଲିପଡ଼ିଲେ ନବବଧୂ। ଏଭଳି ଏକ ଘଟଣା ଘଟିଛି ଗଞ୍ଜାମ ଜିଲା ନିମଖଣ୍ଡି ଥାନା ଗୁରୁଣ୍ଡି ଗ୍ରାମରେ। ମୃତକ ଜଣଙ୍କ ଗୁରୁଣ୍ଠି ଗ୍ରାମର କନକ ବେହେରା (୧୯)। ନିମଖଣ୍ଡି ପୋଲିସ ମୃତଦେହ ଜବତ କରି ନଂ.୨/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ନବବଧୂଙ୍କ ମୃତଦେହ ପଞ୍ଚନାମା କରାଯାଇଛି। କନକ ଗତ ଦୁଇମାସ ତଳେ ବିବାହ କରିଥିବା ବେଳେ ସେ କାହିଁକି ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର କାରଣ ଜଣାପଡିବ। ପ୍ରାଥମିକ ଅନୁସନ୍ଧାନରୁ କୌଣସି ଏକ ମାନସିକ ଅଶାନ୍ତିରୁ କନକ ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି।
ପ୍ରକାଶ ଯେ, ଗୋଳନ୍ଥରା ଥାନା ଅନ୍ତର୍ଗତ ଚିକରଡ଼ା ଗ୍ରାମର ଦୈତାରି ବେହେରାଙ୍କ ଝିଅ କନକ ନିମଖଣ୍ଡି ଥାନା ଅନ୍ତର୍ଗତ ଗୁରୁଣ୍ଠି ଗ୍ରାମର ଶଙ୍କରଙ୍କୁ ୨୦୨୨ ନଭେମ୍ବର ୨୫ରେ ବୈଦିକ ରୀତିରେ ବିବାହ କରିଥିଲେ। ଶଙ୍କର ଏକ ଘରୋଇ କଲେଜରେ ରୋଷେୟା ଭାବେ କାମ କରନ୍ତି। ରବିବାର ରାତିରେ ଶଙ୍କର ଓ ତାଙ୍କ ସ୍ତ୍ରୀ ଶୋଇବାକୁ ଯାଇଥିଲେ। ବିଳମ୍ବିତ ରାତିରେ ଶଙ୍କର ଉଠି ଦେଖିବା ବେଳକୁ କନକ ସେଠାରେ ନ ଥିଲେ। ରୋଷେଇ ଘରେ କନକ ବେକରେ ଲୁଗା ଲଗାଇ ଓହଳିପଡ଼ିଥିବା ଦେଖି ଲୁଗା କାଟି ପୋଲିସକୁ ଖବର କରିଥିଲେ।