ଆଦିବାସୀ ଯୁବତୀ ଯୁବକଙ୍କୁ ବିବାହ କରାଇଲେ

କଣିହାଁ, ୧୦ା୧୨ (ଡି.ଏନ.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକ ରେଙ୍ଗାଳି ପ୍ରକଳ୍ପ ତାରିଣୀ ମନ୍ଦିରରେ ଅସହାୟ ଆଦିବାସୀ ଯୁବତୀ ଯୁବକଙ୍କ ବିବାହ କରାଇଛନ୍ତି ଯୁବ ଉଦ୍ୟୋଗୀ ଭରତ ସାହୁ। ଭରତଙ୍କ ଏହି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି।
ପ୍ରକାଶ ଯେ, କଣିହାଁ ବ୍ଲକ ରେଙ୍ଗାଳି ପ୍ରକଳ୍ପ ହଟିଙ୍ଗ ଅଞ୍ଚଳର ଅଜୟ ବାଙ୍କିରାଙ୍କ ଝିଅ ଦମୟନ୍ତୀ ବାଙ୍କିରା(୩୦)ଙ୍କ ସହିତ ତେଲକୋଇ ଥାନା କମଳାଙ୍ଗ ଗ୍ରାମର ଅନାଥ ତଥା ନିରାଶ୍ରୟ ଅଜୟ ମୁଣ୍ଡା(୩୩)ଙ୍କ ବିବାହ ସମ୍ପନ୍ନ ହୋଇଛି। ରେଙ୍ଗାଳି ପ୍ରକଳ୍ପ ତାରିଣୀ ମନ୍ଦିରରେ ଏହି ବିବାହ କାର୍ଯ୍ୟ କରାଯାଇଥିଲା। ଦୁଇ ଆଦିବାସୀ ଯୁବତୀ ଯୁବକଙ୍କୁ ବିବାହ କରାଇବା ପରେ ଯୁବ ଉଦ୍ୟୋଗୀ ନିଜ ସଂସ୍ଥାନରେ ଅଜୟଙ୍କୁ କାମ ଦେଇଛନ୍ତି। ଏଥିସହ ନବ ବିବାହିତାଙ୍କୁ ରହିବାକୁ ଘରର ବ୍ୟବସ୍ଥା କରିଛନ୍ତି।