ବିବାହ ସରକାରୀ ସହାୟତାରୁ ବଞ୍ଚିତ ହିତାଧିକାରୀ

ଖଜୁରୀପଡ଼ା,୧୭ା୯(ବିଦୁର ବେହେରା)ଖଜୁରିପଡ଼ା ବ୍ଲକ ପ୍ରଶାସନର ଭୁଲ ପାଇଁ ଜଣେ ନବ ବିବାହିତ ପରିବାର ସରକାରଙ୍କ ଶ୍ରମିକ କଲ୍ୟାଣ ବୋର୍ଡରୁ ବିବାହ ସହାୟତା ପାଇବାରୁ ବଞ୍ଚିତ ହୋଇଥିବା ଅରପାଜୁ ଗ୍ରାମପଞ୍ଚାୟତ ସରାଚୂଡ଼ ଗ୍ରାମର ସୁଶାନ୍ତ ବେହେରା ଅଭିଯୋଗ କରିଛନ୍ତି। ଅଭିଯୋଗ ପ୍ରକାରେ, ସେ ଦଳପଡା ଗ୍ରାମର ସହେନ୍ଦ୍ରୀ ବେହେରାଙ୍କୁ ବିବାହ କରିବା ସହ ବିବାହ ପ୍ରମାଣପତ୍ର ପାଇଁ ଖଜୁରିପଡ଼ା ତତ୍କାଳୀନ ଅତିରିକ୍ତ ବିଡିଓ ସଲିଲ କୁମାର ଦାସଙ୍କ ପାଖରେ ଆବେଦନ କରିଥିଲେ। କିନ୍ତୁ ଆବେଦନ ବେଳେ ସମସ୍ତ ପ୍ରମାଣପତ୍ର ସୁଶାନ୍ତ ଦେଇଥିବା ବେଳେ ସେସବୁ ପ୍ରମାଣପତ୍ର ମଧ୍ୟ ଠିକ ରହିଥିଲା। ପରବର୍ତ୍ତୀ ସମୟରେ ସୁଶାନ୍ତଙ୍କୁ ସାର୍ଟିଫିକେଟ ପ୍ରଦାନ ପରେ ସୁଶାନ୍ତ ଫୁଲବାଣୀ ଯାଇ ଶ୍ରମିକ କଲ୍ୟାଣ ବିଭାଗରେ ସରକାରୀ ସହାୟତା ପାଇଁ ଆବେଦନ ବେଳେ ତାଙ୍କର ପ୍ରମାଣପତ୍ରରେ ତ୍ରୁଟି ପରିଲକ୍ଷିତ ହୋଇଥିଲା। ବିବାହ ସାର୍ଟିଫିକେଟରେ ସୁଶାନ୍ତଙ୍କ ସ୍ତ୍ରୀ ଶହେନ୍ଦ୍ରୀ ବେହେରା ବଦଳରେ ମହେନ୍ଦ୍ରୀ ବେହେରା ହୋଇଥିବା କାରଣରୁ ତାଙ୍କର ଆବେଦନ ଅଗ୍ରାହ୍ୟ ହୋଇଥିଲା ବୋଲି ଶ୍ରମିକ କଲ୍ୟାଣ ବିଭାଗ ତରଫରୁ ସୂଚନା ଦେବା ପରେ ପୁଣି ପ୍ରମାଣପତ୍ର ସଂଶୋଧନ ପାଇଁ ବ୍ଲକ କାର୍ଯ୍ୟାଳୟକୁ ସୁଶାନ୍ତ ଆସିଥିଲେ। ହେଲେ ନିରାଶ ହୋଇଛନ୍ତି। ସାର୍ଟିଫିକେଟ କରିଥିବା ତତ୍କାଳୀନ ଅତିରିକ୍ତ ବିଡ଼ିଓ ଜଣକ ଅନ୍ୟତ୍ର ବଦଳି ହୋଇଯାଇଛନ୍ତି। ବର୍ତ୍ତମାନ ଦାୟିତ୍ୱରେ ଥିବା ଗ୍ରାମପଞ୍ଚାୟତ ସଂପ୍ରସାରଣ ଅଧିକାରୀ ସୋନମ ବେହେରା ସୁଶାନ୍ତଙ୍କୁ ସେ ପ୍ରମାଣପତ୍ର ଠିକ କରିପାରିବେ ନାହିଁ ବୋଲି କହିବା ସହ ଯିଏ ଭୁଲ କରିଛି ସେ ଠିକ କରିବେ ବୋଲି କହିଥିଲେ। ହେଲେ ତତ୍କାଳୀନ ବିଡିଓ ଜଣକ ପୁରୀ ଜିଲାକୁ ବଦଳି ହୋଇଥିବା ବେଳେ କିଭଳି ଭାବେ ଜଣେ ହିତାଧିକାରୀ ପୁରୀକୁ ଯାଇ ତାହା ଠିକ କରିବ? ବିବାହ ସାର୍ଟିଫିକେଟରେ ସ୍ତ୍ରୀର ନାମ ତ୍ରୁଟି ପରିଲକ୍ଷିତ ହେବାରୁ ସଂଶୋଧନ ପାଇଁ ବାରମ୍ବାର ବ୍ଲକ କାର୍ଯ୍ୟାଳୟ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିବା ସୁଶାନ୍ତ କହିଛନ୍ତି। ଏ ନେଇ ବିଡ଼ିଓ ଅନୁପମା ଘୋଷଙ୍କୁ ଅଭିଯୋଗ କରିବାକୁ ଗଲାବେଳେ ସେ ମଧ୍ୟ ଅନୁପସ୍ଥିତ ଥିବା ସୁଶାନ୍ତ କହିଛନ୍ତି। ଏ ନେଇ ଜିପିଓ ସୋନମ୍‌ ବେହେରାଙ୍କୁ ପଚାରିବାରୁ ସୁଶାନ୍ତଙ୍କ ସ୍ତ୍ରୀଙ୍କ ବିବାହ ସାର୍ଟିଫିକେଟରେ ନାମ ତ୍ରୁଟି ରହିଛି ତାକୁ ତତ୍କାଳୀନ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଲିଳ ଦାସ କରିଛନ୍ତି। ତେଣୁ ତାଙ୍କ ପାଖକୁ କୋରିଅର କରି ପଠେଇଲେ ସେ ସଂଶୋଧନ
କରିବେ ବୋଲି କହିଛନ୍ତି।