Categories: ଜାତୀୟ

ଜୀବନସାଥୀଙ୍କ ମୃତ୍ୟୁ ପରେ ମିଳିଥିବା ଅନୁକମ୍ପାମୂଳକ ନିଯୁକ୍ତି ପରେ ବି ଜୀବିତ ସାଥୀ କରିପାରିବେ ବିବାହ: ହାଇକୋର୍ଟ

ଆହ୍ଲାବାଦ,୨୨।୧୨: ଜୀବନସାଥୀଙ୍କ ମୃତ୍ୟୁ ପରେ ମିଳିଥିବା ଅନୁକମ୍ପାମୂଳକ ନିଯୁକ୍ତି ପରେ ବି ଜୀବିତ ଥିବା ସାଥୀ ବିବାହ କରିପାରିବେ। ଏନେଇ ସମ୍ପୃକ୍ତ ବ୍ୟକ୍ତିଙ୍କ ଉପରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ଅହ୍ଲାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ବିଚାରପତି ପଙ୍କଜ ମିଥଲଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏକ ମାମଲାର ବିଚାର କରି ଏଭଳି କହିଛନ୍ତି। ସ୍ତ୍ରୀ ଅବା ସ୍ବାମୀଙ୍କ ମୃତ୍ୟୁ ପରେ ଅନ୍ୟ ଜୀବନସାଥିଙ୍କୁ ମିଳିଥିବା ଅନୁକମ୍ପାମୂଳକ ନିଯୁକ୍ତି ଉପରେ ଜୀବିତ ସାଥୀଙ୍କ ବିବାହର କୌଣସି ପ୍ରଭାବ ପଡ଼ିବ ନାହିଁ। ଜୀବିତ ଥିବା ସାଥୀଙ୍କୁ ବିବାହ ପାଇଁ ମନା କରିବା ଆଇନ ଦୃଷ୍ଟିରୁ ଅପରାଧ। ଏହାଦ୍ୱାରା ତାଙ୍କର ମୌଳିକ ଅଧିକାର କ୍ଷୂର୍ଣ୍ଣ ହେବ ବୋଲି ଖଣ୍ଡପୀଠ କହିଛନ୍ତି। ସ୍ତ୍ରୀଙ୍କ ମୃତ୍ୟୁ ପରେ ସ୍ବାମୀଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ମିଳିଥିବା ଏକ ମାମଲାର ବିଚାର କରି ବିଚାରପତି ଏଭଳି କହିଛନ୍ତି। ସ୍ତ୍ରୀଙ୍କ ଭଉଣୀଙ୍କୁ ବିବାହ କରି ତାଙ୍କ ପରିବାରକୁ ସୁରକ୍ଷା ଦେବାକୁ ସ୍ବାମୀ ଚାହୁଁଥିଲେ। ମାତ୍ର ଏକ ନିମ୍ନ ଅଦାଲତ ଏଭଳି କରାଯାଇ ପାରିବ ନାହିଁ ବୋଲି ରାୟ ଦେଇଥିଲେ। ପରେ ସ୍ବାମୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ନିମ୍ନ ଅଦାଲତଙ୍କ ରାୟକୁ ଖାରଜ କରିବା ସହିତ ସ୍ବାମୀଙ୍କୁ ବିବାହ କରିବାକୁ ଅନୁମତି ଦେଇଛନ୍ତି।

Share