ଧାର୍ମିକ ବିଶ୍ୱାସର ବଜାରୀକରଣ

ମହାଶିବରାତ୍ରି ସ୍ନାନ ସହ ଉତ୍ତରପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭର ପରିସମାପ୍ତି ଘଟିଛି। ଦେଶ ଜନସଂଖ୍ୟାର ଅଧାରୁ ସାମାନ୍ୟ କମ୍‌ ଜନତା କୁମ୍ଭ ସ୍ନାନ କରିଛନ୍ତି। । ଏହି ସଂଖ୍ୟା ୬୫ କୋଟି ବୋଲି ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ କୁହାଯାଇଛି। ତେବେ ଲକ୍ଷ୍ୟ କରିବାର କଥା ଏକ ଆଧ୍ୟାତ୍ମିକ ପରିବେଶକୁ କିଭଳି ବଜାରୀକରଣର ରୂପ ଦିଆଯାଇପାରିବ ତାହାର ଏକ ମଡ଼େଲ କୁମ୍ଭମେଳା ମାଧ୍ୟମରେ ଭାରତୀୟ ଜନତା ପାର୍ଟିର ଯୋଗୀ ଆଦିତ୍ୟନାଥ ସରକାର ଦେଶବାସୀଙ୍କ ସମ୍ମୁଖରେ ଉପସ୍ଥାପିତ କରିପାରିଛନ୍ତି। ଆୟ-ବ୍ୟୟର ହିସାବରେ ଦେଖିଲେ ଏହି ମେଳା ଆୟୋଜନ ପାଇଁ କେନ୍ଦ୍ର ଅନୁଦାନକୁ ମିଶାଇ ରାଜ୍ୟ ସରକାର ବ୍ୟୟ କରିଛନ୍ତି ପ୍ରାୟ ୭୫୦୦ କୋଟି ଟଙ୍କା। ମୁଖ୍ୟମନ୍ତ୍ରୀଙ୍କ ଦାବି ଅନୁଯାୟୀ ରାଜ୍ୟର ଆୟ ହୋଇଛି ୩ରୁ ୩.୫ ଲକ୍ଷ କୋଟି ଟଙ୍କା। ଯଦିଓ ଏହି ସମସ୍ତ ଆୟ ପ୍ରତ୍ୟକ୍ଷ ଭାବେ ରାଜକୋଷକୁ ଯାଇନାହିଁ, ପରୋକ୍ଷ ଭାବେ ଟିକସ ଆକାରରେ ରାଜ୍ୟ ରାଜକୋଷ କେତେକାଂଶରେ ସମୃଦ୍ଧ ହୋଇପାରିଛି। ପରିବହନକାରୀ, ତେଜରାତି ଦୋକାନୀ, ପରିବା ବ୍ୟବସାୟୀ, ଛୋଟ ଜଳଖିଆ ବା ଚା ଦୋକାନୀ, ବଡ଼ ହୋଟେଲ, ବୁଲା ବିକାଳି, ଉଠା ବ୍ୟବସାୟୀ, ପୂଜକ, ଚାଷୀ ଆଦି ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ମହାକୁମ୍ଭରୁ ଉପକୃତ ହୋଇଛନ୍ତିି। ଏହାଦ୍ୱାରା ରାଜ୍ୟର ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିଥିବା କୁହାଯାଇପାରେ। କାରଣ ଶ୍ରଦ୍ଧାଳୁଙ୍କ ଆର୍ଥିକ ବ୍ୟୟ ଉତ୍ତରପ୍ରଦେଶରେ ହିଁ ହେଲା।

ପ୍ରୟାଗରାଜ ବା ପୂର୍ବତନ ଏହ୍ଲାବାଦର ଗଙ୍ଗା, ଯମୁନା ଓ ଅଦୃଶ୍ୟ ସରସ୍ବତୀ ନଦୀର ସଙ୍ଗମରେ ବୁଡ଼ ପକାଇଲେ ପାପ ମୋଚନ ହୋଇଥାଏ। ଜନ୍ମ-ମୃତ୍ୟୁ ଚକ୍ରରୁ ମଣିଷ ମୁକ୍ତି ପାଇଥାଏ। ଓଡ଼ିଶାର ଚନ୍ଦ୍ରଭାଗା ନିକଟରେ ମାଘସପ୍ତମୀ ଓ ପଶ୍ଚିମବଙ୍ଗର ଗଙ୍ଗାସାଗର ବୁଡ଼ ପରି ପ୍ରୟାଗରାଜରେ ତ୍ରିବେଣୀ ବୁଡ଼ ପବିତ୍ର ବୋଲି ବିବେଚନା କରାଯାଇଥାଏ। ଗଙ୍ଗାସାଗର ଓ ଚନ୍ଦ୍ରଭାଗା ବୁଡ଼ ନିୟମିତ ହୋଇଥିବାବେଳେ କୁମ୍ଭ ବୁଡ଼ ନିୟମିତ ନୁହେଁ। ବୃଷ, କୁମ୍ଭ ଓ ସିଂହ ରାଶିରେ ବୃହସ୍ପତିର ପ୍ରବେଶ ଘଟିଲେ କୁମ୍ଭ ଅନୁଷ୍ଠିତ ହୋଇଥାଏ। ଦେଶର ୪ଟି ସ୍ଥାନ ଯଥା ହରିଦ୍ୱାର, ପ୍ରୟାଗରାଜ, ଉଜ୍ଜୟିନୀ ଓ ନାସିକଠାରେ କୁମ୍ଭ ପର୍ଯ୍ୟାୟକ୍ରମେ ଅନୁଷ୍ଠିତ ହୋଇଥାଏ। ଉଜ୍ଜୟିନୀର ସିପ୍ରା ନଦୀ, ନାସିକ ନିକଟରେ ଗୋଦାବରୀ ନଦୀ ଓ ହରିଦ୍ୱାରଠାରେ ଗଙ୍ଗା ନଦୀରେ କୁମ୍ଭ ସ୍ନାନ ଅନୁଷ୍ଠିତ ହୋଇଥାଏ। ତେବେ ପ୍ରୟାଗରାଜର ତ୍ରିବେଣୀ ସଙ୍ଗମରେ ଏହି କୁମ୍ଭର ଗୁରୁତ୍ୱ ଅଧିକ ରହିଥାଏ।

ପ୍ରୟାଗରାଜ ପାଇଁ ଚଳିତ ବର୍ଷ ଥିଲା ମହାକୁମ୍ଭର ସମୟ। ୧୪୪ ବର୍ଷ ପରେ ଏହି ଯୋଗ ପଡ଼ିଥିଲା ବୋଲି ଗଣକମାନେ ମତ ଦେଇଛନ୍ତି। ଏଣୁ ଏହା ଏକ ମହାର୍ଘ୍ୟ ମୁହୂର୍ତ୍ତ। ଈଶ୍ୱର ବିଶ୍ୱାସୀ ଦେଶବାସୀ ଏହି ସମୟକୁ ହାତଛଡ଼ା କରିବା ପାଇଁ ଚାହିଁ ନଥିଲେ। କାରଣ ଆଉ ଏ ସୁଯୋଗ ମିଳିବ ନାହିଁ। ମୋକ୍ଷ ପ୍ରାପ୍ତିର ପଥ ସଙ୍କୁଚିତ ହୋଇଯିବ। ଏଥିପାଇଁ ଦେଢ଼ ମାସ ସମୟ ମଧ୍ୟରେ ଦେଶର କୋଣ ଅନୁକୋଣରୁ ପ୍ରୟାଗରାଜରେ ଶ୍ରଦ୍ଧାଳୁଙ୍କ ସମାଗମ ଘଟିଥିଲା। ଶ୍ରଦ୍ଧାଳୁଙ୍କ ସମାଗମରେ ସହର ରାସ୍ତାଘାଟ ଜାମ୍‌ ହୋଇଥିଲା। ୧୦ରୁ ୧୨ ଘଣ୍ଟା ପର୍ଯନ୍ତ ଭକ୍ତଙ୍କୁ ବିଭିନ୍ନ ସ୍ଥାନରେ ଅଟକି ରହିବାକୁ ପଡ଼ିଲା। ଦୀର୍ଘ ପଥ ଚାଲିବାକୁ ପଡ଼ିଲା। ଖାଦ୍ୟ ସାମଗ୍ରୀ ମିଳିଲା ନାହିଁ। ପ୍ରୟାଗରାଜରେ ଦଳାଚକଟା ଘଟି ଜନତା ମୃତ୍ୟୁରେ ପଡ଼ିଲେ। ବିଭିନ୍ନ ସ୍ଥାନରେ ଥିବା ଆଶ୍ରୟସ୍ଥଳୀରେ ନିଆଁ ଲାଗିଲା। ରେଳରେ ଯାତାୟାତ ପାଇଁ ସ୍ଥାନ ମିଳିଲା ନାହିଁ। ଉତ୍ତ୍ୟକ୍ତ ଜନତା ରେଳ ଉପରକୁ ଟେକା ମାଡ଼ କଲେ। ଫଳରେ ରେଳବିଭାଗ ସାମୟିକ ସମୟ ପାଇଁ ପ୍ରୟାଗରାଜକୁ ଟ୍ରେନ ବାତିଲ କରିଦେଲା। ଦିଲ୍ଲୀ ରେଳ ଷ୍ଟେଶନରେ ଦଳାଚକଟା ଘଟି ଜନତା ମୃତାହତ ହେଲେ। ତେବେ ସନାତନ ଧର୍ମର ଆବେଗ ଓ ବିଶ୍ୱାସ ନିକଟରେ ଏହି ଦୁର୍ଘଟଣା, ଅଘଟଣ ତୁଚ୍ଛ ଥିଲା। ଏହି ସମୟରେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ବିଶିଷ୍ଟ ଉଦ୍ୟୋଗୀ, ଅଭିନେତା, ଅଭିନେତ୍ରୀ, ପ୍ରତିଷ୍ଠିତ ବ୍ୟକ୍ତିବିଶେଷ, ବିଦ୍ୱାନ୍‌, ବୁଦ୍ଧିଜୀବୀ, ବିଦେଶୀ ତ୍ରିବେଣୀରେ ସ୍ନାନ କରି ପରମାତ୍ମାରେ ଲୀନ ହେବା ପାଇଁ ଚାହିଁଛନ୍ତି।

କୁମ୍ଭ ସ୍ନାନର ବଜାରୀକରଣ ସମ୍ପର୍କରେ ପୂର୍ବରୁ ଆଲୋଚିତ ହୋଇଥିବା ବେଳେ ତ୍ରିବେଣୀ ସମ୍ପର୍କରେ ବିଜ୍ଞାନ କ’ଣ କହୁଛି ତାହା ଆଲୋଚନାର ଆବଶ୍ୟକତା ରଖେ। କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡ଼ ଅନୁଧ୍ୟାନ ଅନୁଯାୟୀ ଜାନୁୟାରୀ ୧୩ ତାରିଖରେ ପ୍ରୟାଗରାଜର ସଙ୍ଗମଠାରେ ବିଓଡି (ବାୟୋଲୋଜିକାଲ ଅକ୍ସିଜେନ ସ୍ତର) ମାତ୍ରା ଥିଲା ଲିଟର ପାଣି ପିଛା ୩.୯୪ ମିଲିଗ୍ରାମ୍‌। ଏହି ଦିନ ମକର ସଂକ୍ରାନ୍ତି ଅବସରରେ କୁମ୍ଭର ଅୟମାରମ୍ଭ ହୋଇଥିଲା। ସଙ୍ଗମରେ ଏତେ ମାତ୍ରାରେ ବିଓଡି ଯୋଗୁ ଜଳ ସ୍ନାନ ଉପଯୋଗୀ ନୁହେଁ ବୋଲି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କହିଥିଲା। ଜଳର ଗୁଣବତ୍ତା ଜାଣିବା ପାଇଁ ବିଓଡି ଏକ ମାନକ। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଜାନୁୟାରୀ ୧୨ ଓ ୧୩ ତାରିଖରେ ବିଭିନ୍ନ ସ୍ଥାନରୁ ସଂଗ୍ରହ କରିଥିବା ଜଳ ନମୁନା ବିଶ୍ଳେଷଣ କରି ଏହି ଜଳ ସ୍ନାନ ଉପଯୋଗୀ ନଥିବା ଦର୍ଶାଇ କେନ୍ଦ୍ରୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ନିକଟରେ ନିଜ ରିପୋର୍ଟ ଦାଖଲ କରିଥିଲେ। ଏହା ପରେ ପାଣିର ଗୁଣବତ୍ତା ବଜାୟ ରଖିବା ପାଇଁ ଉତ୍ତରପ୍ରଦେଶ ସରକାର ଗଙ୍ଗାମଧ୍ୟକୁ ୧୦,୦୦୦ରୁ ୧୧,୦୦୦ କ୍ୟୁସେକ ସ୍ବଚ୍ଛ ଜଳ ଅନ୍ୟ ସୂତ୍ରରୁ ପ୍ରବେଶ କରାଇଥିଲେ।

ଏ କ୍ଷେତ୍ରରେ ଉତ୍ତରପ୍ରଦେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର କାର୍ଯ୍ୟଶୈଳୀକୁ ସବୁଜ ଟ୍ରିବ୍ୟୁନାଲ ସମାଲୋଚନା ମଧ୍ୟ କରିଛି। ଗଙ୍ଗା ଜଳରେ ଅତ୍ୟଧିକ କୋଲିଫର୍ମ ବୀଜାଣୁ ରହିଛି, ଯାହା ମୁଖ୍ୟତଃ ମନୁଷ୍ୟ ସମେତ ପ୍ରାଣୀ ମଳରୁ ଆସିଥାଏ। ଏହାଦ୍ୱାରା ଗଙ୍ଗାରେ ଜୈବିକ ପ୍ରଦୂଷଣ ଅତ୍ୟଧିକ ମାତ୍ରାରେ ବୃଦ୍ଧି ପାଇଛି। ଏହି ପ୍ରଦୂଷିତ ଜଳ ସଂସ୍ପର୍ଶରେ ଆସିଲେ ପେଟ କାମୁଡ଼ା, ବାନ୍ତି, ଜ୍ୱର ଆଦିରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଥାଏ। ଏନ୍‌ଜିଟି ମଧ୍ୟକ୍ଷ ଜଷ୍ଟିସ ପ୍ରକାଶ ଶ୍ରୀବାସ୍ତବ, ବିଚାର ବିଭାଗୀୟ ସଦସ୍ୟ ସୁଧୀର ଅଗ୍ରୱାଲ ଓ ବିଶେଷଜ୍ଞ ସଦସ୍ୟ ସେନ୍ଥି ଭେଲ ମାମଲାର ଶୁଣାଣି କରି ଉତ୍ତରପ୍ରଦେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ତୀବ୍ର ସମାଲୋଚନା କରିଥିଲେ। ତେବେ ଆଶ୍ୱର୍ଯ୍ୟଜନକ ଭାବେ ଉତ୍ତରପ୍ରଦେଶ ସରକାର କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡ ରିପୋର୍ଟକୁ ଖଣ୍ଡନ କରିଥିଲେ। ଏକ କେନ୍ଦ୍ରୀୟ ସଂସ୍ଥାର ରିପୋର୍ଟକୁ ଉତ୍ତରପ୍ରଦେଶ ସରକାର ଖଣ୍ଡନ କରି ସମ୍ପୃକ୍ତ ସଂସ୍ଥା ପ୍ରତି ଆହ୍ବାନ ସୃଷ୍ଟି କରିଛନ୍ତି। ଦିଲ୍ଲୀ ବାୟୁ ପ୍ରଦୂଷଣକୁ ନେଇ ଏହି ସଂସ୍ଥାର ରିପୋର୍ଟ ଉପରେ ସୁପ୍ରିମକୋର୍ଟ ନିର୍ଭରଶୀଳ ଥିବାବେଳେ ରାଜ୍ୟ ସରକାର ଏହାକୁ ଗ୍ରହଣ ନ କରିବା ପଛରେ ରାଜନୈତିକ ଚିନ୍ତାଧାରା ନିହିତ ଥିବା ମନେହୁଏ। କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡ ରିପୋର୍ଟ ଠିକ୍‌ ନୁହେଁ ବୋଲି ଦର୍ଶାଇବା ନିମନ୍ତେ ରାଜ୍ୟ ସରକାର ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ବିଜ୍ଞାନୀ ଡ. ଅଜୟ କୁମାର ସୋଙ୍କରଙ୍କୁ ନିଯୁକ୍ତ କଲେ। ଡ. କୁମାରଙ୍କ ରିପୋର୍ଟ ଭିତ୍ତିରେ କେନ୍ଦ୍ର ପ୍ରଦୂଷଣ ବୋର୍ଡ ରିପୋର୍ଟ ତ୍ରୁଟିପୂର୍ଣ୍ଣ ବୋଲି ରାଜ୍ୟ ସରକାର ଦର୍ଶାଇଛନ୍ତି। ଏନ୍‌ଜିଟି ନିକଟରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମଧ୍ୟ ପୁରୁଣା ତଥ୍ୟ ଦାଖଲ କରିଥିଲେ।

କୁମ୍ଭ ପରି ଏକ ଧାର୍ମିକ କାର୍ଯ୍ୟକ୍ରମ ଉତ୍ତରପ୍ରଦେଶ ପାଇଁ ଏକପ୍ରକାର ଆର୍ଥିକ ଓ ରାଜନୈତିକ ସୁଯୋଗରେ ପରିଣତ ହୋଇପାରିଛି। ଏଥିପାଇଁ ରାଜ୍ୟ ସରକାର ସୁଚିନ୍ତିତ ଭାବେ ଦୀର୍ଘ ଦିନରୁ କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରାୟ ୪୦ ବର୍ଗ କି.ମି. ଅଞ୍ଚଳରେ ଅସ୍ଥାୟୀ ସହର ପ୍ରତିଷ୍ଠା କରାଯାଇଥିଲା। ସମଗ୍ର ଦେଶରେ କୁମ୍ଭ ମାହାତ୍ମ୍ୟ ସମ୍ପର୍କରେ ବ୍ୟାପକ ପ୍ରଚାର ପ୍ରସାର କରାଗଲା। ପ୍ରୟାଗରାଜକୁ ପ୍ରାୟୋଜିତ ଭାବେ ସାମ୍ବାଦିକଙ୍କୁ ନିଆଗଲା। ହିନ୍ଦୁ ଧର୍ମାବଲମ୍ବୀଙ୍କ ମଧ୍ୟରେ ଏକପ୍ରକାର ଜାଗରଣ ସୃଷ୍ଟି କରାଗଲା। ୨୦୨୭ରେ ରାଜ୍ୟ ବିଧାନସଭା ନିର୍ବାଚନ। ଆସନ୍ତା ନିର୍ବାଚନରେ ଏହି ଜାଗରଣର କି ପ୍ରଭାବ ରହିବ ତାହା ଆଗକୁ ଜଣାପଡ଼ିବ ।

ସୌଭାଗ୍ୟ ସୁନ୍ଦରରାୟ

ମୋ: ୯୪୩୭୨୨୯୨୩୩

 


Enter your email to get our daily news in your inbox.

All Right Reserved By Dharitri.Com

ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ କନକଦୁର୍ଗା

ଦେବଗଡ଼,୧୯ା୩(ଶଶାଙ୍କ ଶେଖର ଝାଙ୍କର): ମଠସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ସହିତ ଭକ୍ତମାନେ ମାନସିକ…

ବାଇକ୍‌ରେ ଯାଉଥିଲେ ୩ ଭାଇ, ୧୦ ପୁଟ ଡ୍ରେନ ତଳକୁ ଖସିଲା ଗାଡ଼ି: ଆଉ ତା’ପରେ…

ବଘିଆପଡା,୧୯।୩(ଶ୍ରୀକାନ୍ତ ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତଗତ ତେଲିବନ୍ଧ ପନ୍ଥାଇ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଏକ ବାଇକ…

ଭୟାବହ ଅଗ୍ନିକାଣ୍ଡ: ପିଚୁ କାରଖାନାରେ ଲାଗିଲା ନିଆଁ

ସମ୍ବଲପୁର,୧୯।୩(ପ୍ରମୋଦ ବହିଦାର): ସମ୍ବଲପୁର ସହର ଉପକଣ୍ଠରେ ଥିବା ଏକ ପିଚୁ କାରଖାନାରେ ଆଜି ସକାଳୁ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। କାରଖାନା ପରିସରରେ ହଠାତ ନିଆଁ ଲାଗିଯିବାରୁ…

HDFC ଓ PNB ବ୍ୟାଙ୍କର ୟୁଜର୍ସଙ୍କ ପାଇଁ ବଡ଼ ଖବର, ଏପ୍ରିଲ ୧ରୁ ବଦଳିଯିବ…

ନୂଆଦିଲ୍ଲୀ,୧୯।୩: ମାର୍ଚ୍ଚ ମାସର ଅଧାରୁ ଅଧିକ ସମୟ ବିତିଗଲାଣି, ଏବଂ ଆଉ କିଛି ଦିନ ପରେ ଏପ୍ରିଲ ମାସ ଆରମ୍ଭ ହେବାକୁ ଯାଉଛି। ୧ ଏପ୍ରିଲରୁ, ଦେଶର…

ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ ଦେଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୮।୩: ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ ଆମ୍ବାସଡର କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଜନଗଣନା…

୪ ଦିନରେ ୨ ଲକ୍ଷରୁ ଉର୍ଦ୍ଧ୍ୱ କଇଁଛଙ୍କ ଅଣ୍ଡାଦାନ: ସୁରକ୍ଷା ବ୍ୟବସ୍ଥା କଡାକଡି

ଗଞ୍ଜାମ,୧୯।୩(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଋଷିକୁଲ୍ୟା ମୁହାଁଣ ବେଳାଭୂମିର ବିସ୍ତିର୍ଣ୍ଣ ବାଲୁକା ଶଯ୍ୟାରେ ଚତୁର୍ଥ ରାତ୍ର ସୁଦ୍ଧା ୨ ଲକ୍ଷରୁ ଉର୍ଦ୍ଧ୍ୱ ସାମୁଦ୍ରିକ…

ପାଖାପାଖି ମାସେ ହେବ ନିଖୋଜ ଥିଲେ ଗଗନ: ଗଛରୁ ମିଳିଲା…

ପରଜଙ୍ଗ୧୯।୩( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ଦରସିଂହା ଦଳିତ ବସ୍ତିର ଗଗନ ନାୟକ ଗତ ଫେବୃଆରୀ ମାସ ୨୨ଠାରୁ ନିଖୋଜ ଥିବା ପରିବାର ଲୋକ…

ଘନେଇଲା ୩ୟ ବିଶ୍ୱଯୁଦ୍ଧର ଭୟ: ଯୁଦ୍ଧକୁ ଡେଇଁବେ ଭାରତ-ପାକିସ୍ତାନ?

ନୂଆଦିଲ୍ଲୀ,୧୯।୩: “ତୃତୀୟ ବିଶ୍ୱ” ବା ଥାର୍ଡ ଓ଼୍ବାଲର୍‌ଡ ଏହା ପ୍ରାୟତଃ ପଛୁଆତା କିମ୍ୱା ଦାରିଦ୍ର୍ୟ ସହିତ ଜଡିତ ଏକ ଶବ୍ଦ; ତଥାପି, ଆପଣ କ’ଣ ଜାଣନ୍ତି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri