ଥୁଆମୂଳ ରାମପୁର, ୧୨/୦୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ସରକାରୀ ବଜାର ବ୍ୟବସ୍ଥା ନଥିବାରୁ ଆମ୍ବ ଚାଷୀ ବ୍ୟାପକ ଶୋଷଣର ଶିକାର ହେଉଛନ୍ତି। ଏହାର ସୁଯୋଗ ନେଇ ଦଲାଲମାନେ ଚାଷୀଙ୍କ ଠାରୁ କମ୍ ମୂଲ୍ୟରେ ଆମ୍ବ କିଣି ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ ଭଳି ବାହାର ରାଜ୍ୟକୁ ଦୈନିକ ଶତାଧିକ ଟ୍ରକ୍ ଓ ପିକଅପ୍ ଗାଡ଼ି ଯୋଗେ ଚଢ଼ା ଦରରେ ଚାଲାଣ କରୁଛନ୍ତି। ବ୍ଲକର କାଣିଗୁମା, ଗୁଣୁପୁର, କର୍ଲାପାଟ, ଓଡ୍ରି, ଗୋପୀନାଥପୁର, ମାଲିଗାଁ ଏବଂ ଡୁମେରପଦର ଅଞ୍ଚଳର ଚାଷୀମାନେ ଉଚିତ୍ ମୂଲ୍ୟ ନପାଇ ଅଭାବୀ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି।
ଏହି ଅଞ୍ଚଳରେ ପ୍ରଚୁର ଆମ୍ବ, ପଣସ ଓ କାଜୁ ଉତ୍ପାଦନ ହେଉଥିଲେ ହେଁ ଗୋଟିଏ ବି ଶୀତଳ ଭଣ୍ଡାର କିମ୍ବା ଜୁସ୍ ଓ ଆଚାର ପ୍ରକ୍ରିୟାକରଣ ୟୁନିଟ୍ ନାହିଁ। ଏହି ବ୍ୟବସ୍ଥା ଥିଲେ ଚାଷୀଙ୍କ ସାମଗ୍ରୀ ନଷ୍ଟ ହେବାରୁ ରକ୍ଷା ପାଇବା ସହ ସ୍ଥାନୀୟ ଯୁବପିଢ଼ିଙ୍କ ପାଇଁ କର୍ମସଂସ୍ଥାନ ସୃଷ୍ଟି ହୋଇପାରନ୍ତା, ଯାହା ଦ୍ୱାରା ଅଞ୍ଚଳର ପ୍ରମୁଖ ସମସ୍ୟା ପାଲଟିଥିବା ଦାଦନ ପ୍ରବାସନ କମିଥାନ୍ତା। ଅପରପକ୍ଷେ, ଚାଷୀଙ୍କୁ ବଜାର ଯୋଗାଇବା ନାଁରେ କାର୍ଯ୍ୟ କରୁଥିବା ମିଶନ ଶକ୍ତି ଓ ପ୍ରଡ୍ୟୁସର କମ୍ପାନୀଗୁଡ଼ିକର ଭୂମିକା କେବଳ ସଭାସମିତିରେ ସୀମିତ ରହିଛି। ଏହି ସମସ୍ୟା ବାବଦରେ
ପ୍ରଥମେ ବ୍ଲକ୍ ଉଦ୍ୟାନ ବିଭାଗ ଅଧିକାରିଣୀ ସୌମ୍ୟ ଶ୍ୱେତା ଙ୍କୁ ଯୋଗାଯୋଗ କରାଯାଇଥିଲା ଯୋଗାଯୋଗ ସମ୍ଭବ ହୋଇ ନ ଥିବାରୁ ପୂର୍ବତନ ବ୍ଲକ କୃଷି ଅଧିକାରୀ ସିଦ୍ଧାର୍ଥ ସୌରଭ ଜେନାଙ୍କୁ ପଚାରିବାରୁ ସେ କହିଛନ୍ତି, “ମୁଁ ବର୍ଷେ ହେବ ଏହି ବ୍ଲକ ଦାୟିତ୍ୱରେ ନାହିଁ। ବର୍ତ୍ତମାନ ଥୁଆମୂଳ ରାମପୁର ବ୍ଲକରେ କୌଣସି ବିଇଓ କିମ୍ବା ବିଇଇଓ ନାହାନ୍ତି। ଆମ୍ବ ବିକ୍ରି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ନିର୍ଦ୍ଦିଷ୍ଟ ମଣ୍ଡି ବା ସରକାରୀ ବ୍ୟବସ୍ଥା ନାହିଁ।” ଯିଏ ଯେମିତି ପାରିଲା ବ୍ୟବସାୟୀ କରି ପାରିବେ ଏହି ବୟାନରୁ ସ୍ପଷ୍ଟ ହେଉଛି ଯେ ବ୍ଲକରେ କୃଷି ବିଭାଗ ଓ ଉଦ୍ୟାନ ବିଭାଗ ସମ୍ପୂର୍ଣ୍ଣ ଅଭିଭାବକ ଶୂନ୍ୟ। ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ତୁରନ୍ତ ସରକାରୀ ମଣ୍ଡି ଓ ପ୍ରକ୍ରିୟାକରଣ ଶିଳ୍ପ ପ୍ରତିଷ୍ଠା କରିବାକୁ ସ୍ଥାନୀୟ ଚାଷୀମାନେ ଦୃଢ଼ ଦାବି କରିଛନ୍ତି।