ପରିବା ମାର୍କେଟ ପରିବେଶ ଅସ୍ବାସ୍ଥ୍ୟକର

ଢେଙ୍କାନାଳ ଅଫିସ,୧୩ା୧୨: ଢେଙ୍କାନାଳ ସହର ରଥଗଡା ପରିବା ମାର୍କେଟ ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ରହିଛି। ଏହି ସମସ୍ୟାର ସମାଧାନ କରିବା ପାଇଁ ସୋମବାର ଏଏପି ପକ୍ଷରୁ ଜିଲା ଆବାହକ ପଙ୍କଜ ନାୟକଙ୍କ ନେତୃତ୍ୱରେ ପୌରାଞ୍ଚଳର ଦଳୀୟ କର୍ମକର୍ତ୍ତା ପରିବା ମାର୍କେଟ ପରିଦର୍ଶନ କରି ଜିଲା ପ୍ରଶାସନକୁ ୯ଦଫା ଦାବିପତ୍ର ପ୍ରଦାନ କରିଥିଲେ।
ଅଭିଯୋଗରୁ ଜଣାପଡିଛି, ପରିବା ମାର୍କେଟ ମଧ୍ୟରେ ଲକ୍ଷାଧିକ ଟଙ୍କା ବ୍ୟୟରେ ମହିଳା ଓ ପୁରୁଷଙ୍କ ପାଇଁ ନିର୍ମିତ ଶୌଚାଳୟ ଶୋଚନୀୟ ଅବସ୍ଥାରେ ଥିବାରୁ ତାହା ବ୍ୟବହାରରେ ଲାଗିପାରୁ ନାହିଁ। ସେହିପରି କ୍ୟାଣ୍ଟିନରେ ତାଲା ଝୁଲୁଛି। ସହର ବାହାରୁ ପ୍ରତିଦିନ ବହୁ ସଂଖ୍ୟାରେ ପରିବା ବ୍ୟବସାୟୀ ଏବଂ ଚାଷୀ ବ୍ୟବସାୟ ପାଇଁ ଆସୁଥିଲେ ହେଁ କ୍ୟାଣ୍ଟିନର ସଦୁପଯୋଗ ହୋଇପାରୁନାହିଁ। ବ୍ୟବସାୟୀମାନଙ୍କ ବଳକା ପନିପରିବା ରଖିବା ପାଇଁ ଶୀତଳଭଣ୍ଡାର କାର୍ଯ୍ୟକ୍ଷମ ନ ହୋଇ ଭଡା ସୂତ୍ରରେ ଲାଗିଛି। ଉଠା ପନିପରିବା ବ୍ୟବସାୟୀ ରାସ୍ତା ଉପରେ ବସୁଥିବାରୁ ଟ୍ରାଫିକ ସମସ୍ୟା ଦେଖାଦେଉଛି। ଗାଡ଼ି ପାର୍କିଂ ବ୍ୟବସ୍ଥା ନାହିଁ। ପରିବା ମାର୍କେଟ ମଧ୍ୟରେ ଥିବା ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ସୁରକ୍ଷା ବାଡ ନ ଥିବାରୁ ବିପଦ ଆଶଙ୍କା ରହିଛି। ଅସାମାଜିକ କାର୍ଯ୍ୟକଳାପ ରୋକିବା ପାଇଁ ସିସିଟିଭି କ୍ୟାମେରାର ବ୍ୟବସ୍ଥା ନାହିଁ। ବିଭିନ୍ନ ସ୍ଥାନରେ କୁଢକୁଢ ଅଳଆ ପଡିରହି ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି। ଅସ୍ଥାୟୀ ଛପରଘର ନ ଥିବାରୁ ଖରା, ବର୍ଷା, ଶୀତ କାକରରେ ବ୍ୟବସାୟୀ ଓ ଚାଷୀମାନେ ତଳେ ବସି ପରିବା ବିକ୍ରି କରୁଛନ୍ତି। ଏ ସମସ୍ତ ସମସ୍ୟାର ସମାଧାନ ପାଇଁ ଏଏପି ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲା ମହିଳା ସଭାପତି ସ୍ନେହଲତା ମହାନ୍ତି, ଜିଲା ଉପସଭାପତି ବିକ୍ରମ ରାଉତ, କୋଷାଧ୍ୟକ୍ଷ ଶରତ ଚନ୍ଦ୍ର ଗିରି, କାର୍ଯ୍ୟକାରୀ ସଦସ୍ୟ ବିଭୁ ରଞ୍ଜନ ସାହୁ, ଚିନ୍ମୟ ସେନାପତି, ଜିତେନ୍ଦ୍ର ବେହେରା, ଜନରଞ୍ଜନ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।