୧୬ ବର୍ଷ ଧରି ଜବରଦଖଲରେ ମାର୍କେଟ କମ୍ପ୍ଲେକ୍ସ

ପ୍ରୀତିପୁର,୨୮ା୮(ସୁଶାନ୍ତ ବେହୁରିଆ): ସରକାର ଗ୍ରାମ ପଞ୍ଚାୟତର ଆୟବୃଦ୍ଧି, ସ୍ଥାୟୀ ଭିତ୍ତିଭୂମି ବିକାଶ ଓ ଶିକ୍ଷିତ ବେକାରିଙ୍କୁ ସ୍ବାବଲମ୍ବୀ କରିବା ନିମନ୍ତେ ପ୍ରତ୍ୟେକ ପଞ୍ଚାୟତରେ ମାର୍କେଟ କମ୍ପ୍ଲେକ୍ସ ଗୃହ ନିର୍ମାଣ ନିମନ୍ତେ ଅନୁଦାନ ଯୋଗାଇ ଦେଉଛନ୍ତି। ମାତ୍ର ସରକାରୀ କର୍ମଚାରୀଙ୍କ ଆନ୍ତରିକତା ଅଭାବ ଯୋଗୁ ବହୁ ସ୍ଥାନରେ ମାର୍କେଟ କମ୍ପ୍ଲେକ୍ସ ଘର ଭୂତକୋଠି ପାଲଟିଲାଣି। ଆଉ କେତେକ ଜବରଦଖଲକାରୀଙ୍କ କବ୍‌ଜାରେ ରହିଥିବା ଜଣାଯାଇଛି, ଯାହାର ଏକ ଉଦାହରଣ ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଅଧୀନ ଦଶରଥପୁର ବ୍ଲକ ଅନ୍ତର୍ଗତ ଥାଲକୁଡ଼ି ପଞ୍ଚାୟତରେ ଦେଖିବାକୁ ମିଳିଛି। ବ୍ଲକ୍‌ ପ୍ରଶାସନ ପକ୍ଷରୁ ଏହି ପଞ୍ଚାୟତ ଅନ୍ତର୍ଗତ ଦକ୍ଷିଣବନ୍ଧ ଛକରେ ୨୦୦୫ରେ ତତ୍କାଳୀନ ସରପଞ୍ଚ ଶଶଧର ବେହୁରିଆଙ୍କ କାର୍ଯ୍ୟକାଳ ସମୟରେ ୮ ବଖରା ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯାଇଥିଲା। ୨୦୦୭ରେ ଏହା ସମ୍ପୂର୍ଣ୍ଣ ହେବାପରେ ସେତେବେଳେ ନିର୍ବାଚିତ ହୋଇଥିବା ସରପଞ୍ଚ ଏହି ଘରକୁ ଆବଣ୍ଟନ ନ କରି ପକାଇ ରଖିଥିଲେ। ଫଳରେ ଏଥି ମଧ୍ୟରୁ କେତେକ ଘରକୁ ସ୍ଥାନୀୟ ଲୋକେ ଜବରଦଖଲ କରି ଦୋକାନ ଖୋଲିଥିବା ଦେଖାଯାଇଥିଲା। ଯାହାକୁ ଏଯାବତ ହଟାଯାଇ ପାରିନାହିଁ। ଏଥିମଧ୍ୟରେ ୧୬ ବର୍ଷ ଅତିକ୍ରାନ୍ତ ହେବା ସହିତ ୪ ଜଣ ସରପଞ୍ଚ ଦାୟିତ୍ୱ ନେଲେଣି, ତଥାପି ଉକ୍ତ ଜବରଦଖଲକାରୀଙ୍କୁ କାହିଁକି ଉଚ୍ଛେଦ କରାଯାଉନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅପରପକ୍ଷରେ ଉକ୍ତ କମ୍ପ୍ଲେକ୍ସର କେହି ରକ୍ଷଣାବେକ୍ଷଣ କରୁ ନ ଥିବା ଯୋଗୁ କାଳକ୍ରମେ ଏହା ଜରାଜୀର୍ଣ୍ଣ ପାଲଟିଲାଣି। ତେଣୁ ବ୍ଲକ ପ୍ରଶାସନ ତୁରନ୍ତ କମ୍ପ୍ଲେକ୍ସରୁ ଜବରଦଖଲ ହଟାଇ ଏହାକୁ ମରାମତି କରି ଲଟେରି ମାଧ୍ୟମରେ ଲୋକଙ୍କୁ ଯୋଗାଇ ଦେବା ପାଇଁ ଦାବି ହୋଇଛି। ଏ ସମ୍ପର୍କରେ ବ୍ଲକ୍‌ ପ୍ରଶାସନକୁ ଆର୍‌ଟିଆଇରେ ତଥ୍ୟ ମଗାଯାଇଥିଲା। ମାତ୍ର ବ୍ଲକ୍‌ ପକ୍ଷରୁ ଦିଆଯାଇଥିବା ତଥ୍ୟରେ ସେଠାରେ ମାର୍କେଟ କମ୍ପ୍ଲେକ୍ସ ନାହିଁ ବୋଲି ଦର୍ଶାଯାଇଛି। ଏ ସମ୍ପର୍କରେ ବ୍ଲକ୍‌ ଗ୍ରାମ ପଞ୍ଚାୟତ ଅଧିକାରୀ(ଜିପିଓ)ସୁମନ୍ତ କୁମାର ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି, କେଉଁ ପଞ୍ଚାୟତରେ କେତେ ସରକାରୀ ମାର୍କେଟ କମ୍ପ୍ଲେକ୍ସ ରହିଛି ତାହାର ତଥ୍ୟଦେବା ପାଇଁ ବ୍ଲକର ସମସ୍ତ ପିଇଓଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ତଥ୍ୟ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।