Categories: ଖେଳ

ଭାରତ ବିପକ୍ଷ ସେମିଫାଇନାଲ ମୁକାବିଲା ପୂର୍ବରୁ ଇଂଲଣ୍ଡକୁ ‘ଡବଲ୍‌ ଝଟ୍‌କା’

ଆଡିଲେଡ,୯।୧୧: ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଟି୨୦ ବିଶ୍ୱକପ୍‌ ୨୦୨୨ର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବ। ଗୁରୁବାର ଆଡିଲେଡ୍‌ ମଇଦାନରେ ଏହି ମୁକାବିଲା ଖେଳାଯିବ। ଏହା ପୂର୍ବରୁ ଇଂଲଣ୍ଡ ଟିମ୍‌କୁ ଆଉ ଏକ ଝଟ୍‌କା ଲାଗିଛି।

ଇଂଲଣ୍ଡ ଟିମ୍‌ର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ଡେଭିଡ୍‌ ମଲାନଙ୍କ ପରେ ଏବେ ଦ୍ରୁତ ବୋଲର ମାର୍କ ଉଡ୍‌ ଆହତ ହୋଇଛନ୍ତି। ଏମିତିରେ ସେ ସେମିଫାଇନାଲ ମ୍ୟାଚ୍‌ ଖେଳିପାରିବେ କି ନାହିଁ ସେନେଇ ଅନିଶ୍ଚିତତା ଦେଖାଦେଇଛି। ଯଦି ସେ ନ ଖେଳିପାରନ୍ତି ତେବେ ତାଙ୍କ ସ୍ଥାନରେ ଟାଇମାଲ ମିଲ୍ସଙ୍କୁ ସୁଯୋଗ ମିଳିପାରେ ବୋଲି ବୋଲି କୁହାଯାଉଛି।

ମଙ୍ଗଳବାର ଇଂଲଣ୍ଡ ଟିମ୍‌ ଅଭ୍ୟାସ ମ୍ୟାଚ୍‌ ସମୟରେ ମାର୍କ ଆହତ ହୋଇଛନ୍ତି। ସେ ଶୀଘ୍ର ଠିକ୍‌ ହୋଇଯିବା ଆଶା କରାଯାଉଥିବା ଇଂଲଣ୍ଡ ଟିମ୍‌ ମ୍ୟାନେଜମେଣ୍ଟ ପକ୍ଷରୁ କୁହାଯାଇଛି। ଅପରପକ୍ଷେ ଦଳ ଲାଗି ଦୁଇଟି ପ୍ରମୁଖ ଖେଳାଳି ଆହତ ହେବା ବଡ ଝଟ୍‌କା ପରି।

Share