ଭୁବନେଶ୍ୱର,୪।୧(ତ୍ରିନାଥ ମହାନ୍ତି): ଭୁବନେଶ୍ୱର ବିମାନବନ୍ଦରରୁ ପୁଣି ବିଦେଶୀ ଗଞ୍ଜେଇ (ମାରିଜୁଆନା) ଜବତ କରାଯାଇଛି। ଜବତ ମାରିଜୁଆନାର ମୂଲ୍ୟ ୮କୋଟି ହେବ ବୋଲି ଅନୁମାନ କରାଯାଉଛି। ଜଣେ ଯାତ୍ରୀଙ୍କ ଉପରେ ସନ୍ଦେହ ହେବାରୁ ତାଙ୍କୁ ରାଜସ୍ୱ ଗୋଇନ୍ଦା ନିର୍ଦ୍ଦେଶାଳ(ଡିଆର୍ଆଇ) ଯାଞ୍ଚ କରିଥିଲା। ଯାଞ୍ଚ ପରେ ତାଙ୍କ ଲଗେଜରୁ ୪ଟି ପ୍ୟାକେଟରୁ ୮କେଜିର ମାରିଜୁଆନା ଜବତ କରାଯାଇଥିଲା। ବ୍ୟାଙ୍କ୍କକ୍ରୁ ଏହି ମାରିଜୁଆନା ଆଣିଥିବା ପଚରାଉଚରା ବେଳେ ଜଣାପଡ଼ିଛି। ସେ ରାଜଧାନୀର କାହାପାଖକୁ ଚାଲାଣ କରୁଥିଲେ ତାହା ଜଣାପଡ଼ି ନାହିଁ। ବିଶେଷକରି ବଡ଼ ବଡ଼ ହୋଟେଲକୁ ଏହି ବିଦେଶୀ ଗଞ୍ଜେଇ ଚାଲାଣ କରାଯାଉଥିବା ତଦନ୍ତରୁ ଜଣାପଡ଼ିଛି। ହୋଟେଲକୁ ଆସୁଥିବା ବିଦେଶୀ ନାଗରିକ ଏବଂ ଧନୀକ ଶ୍ରେଣୀର ଲୋକ ଏହି ମାରିଜୁଆନାକୁ ନେଇଥାନ୍ତି। ବ୍ୟାଙ୍କ୍କ, ଥାଇଲାଣ୍ଡ ଆଦି ସ୍ଥାନରେ ଏହି ବିଦେଶୀ ଗଞ୍ଜେଇ ମିଳିଥାଏ। ସେଠାରେ ନିଶା ମାଫିଆମାନେ ଏକ ର଼୍ୟାକେଟ୍ କରି ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଅନ୍ୟ ସହରକୁ ପଠାଇଥାନ୍ତି। ଯେଉଁ ବିମାନବନ୍ଦରରେ ଯାଞ୍ଚ ବ୍ୟବସ୍ଥା ଢିଲା ରହିଥାଏ ଉକ୍ତ ସହରକୁ ନିଶା ମାଫିଆମାନେ ଟାର୍ଗେଟ କରିଥାନ୍ତି। ଭୁବନେଶ୍ୱର ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା ଢିଲା ଥିବାରୁ ନିଶା ମାଫିଆମାନେ ଟାର୍ଗେଟ କରୁଛନ୍ତି। ସେମାନେ ହ୍ୱାଟ୍ସଆପ୍ ମାଧ୍ୟମରେ ଡିଲ୍ କରିଥାନ୍ତି। ଗଞ୍ଜେଇ ବିମାନରେ ଚାଲାଣ ପାଇଁ ତାଙ୍କୁ ୩୦ପ୍ରତିଶତ ଟଙ୍କା ମିଳିଥାଏ। ବିମାନ ଟିକେଟ ସହ ଅଗ୍ରିମ ଆକାରରେ ଟଙ୍କା ମିଳିବା ପରେ ସେ ଚାଲାଣ କରିଥାନ୍ତି। ବିଶେଷକରି ଚାଲାଣକାରୀ ର଼୍ୟାକେଟର କୌଣସି ବ୍ୟକ୍ତିଙ୍କୁ ଜାଣି ନ ଥାନ୍ତି। ଫୋନ୍ରେ ଡିଲ୍ ହେବାପରେ ଅନ୍ୟଜଣେ ବ୍ୟକ୍ତି ଆସି ବିମାନ ବନ୍ଦର ବାହାରୁ ମାରିଜୁଆନା ଦେବା ପରେ ପଳାଇଯାଇଥାନ୍ତି। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚତ୍ୱା ପରେ ଏଠାରେ ଥିବା ବ୍ୟକ୍ତି ରିସିଭ୍ କରି ନେଇଥାନ୍ତି। ର଼୍ୟାକେଟ୍ରେ ଥିବା ବ୍ୟକ୍ତିମାନେ କେହି କାହାକୁ ଜାଣି ନ ଥାନ୍ତି ବୋଲି ଡିଆର୍ଆଇ ତଦନ୍ତରୁ ଜଣାପଡ଼ିଛି। ମାତ୍ର ୫ଦିନରେ ୩ ଥର ସମାନ ପରିସ୍ଥିତି ଦେଖିବାକୁ ମିଳିଛି। ଗତ ଡିସେମ୍ୱର ୩୦ ଏବଂ ୩୧ ତାରିଖରେ ମଧ୍ୟ ବିମାନ ବନ୍ଦରରୁ ମାରିଜୁଆନା ଧରା ହୋଇଥିଲା।


