ହାଟଡିହୀ/ଛେନାପଦି,୪।୧୧(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଅଧିକାରୀ ଧର୍ମେନ୍ଦ୍ର କୁମାର ଶାନ୍ତିଙ୍କ ନେତୃତ୍ୱରେ ପୋଲିସର ଏକ ଟିମ୍ ୩ ଗଞ୍ଜେଇ ବେପାରୀଙ୍କୁ ଧରିବାରେ ସଫଳ ହୋଇଛନ୍ତି। ଅଭିଯୁକ୍ତମାନେ ଜଳକଳଙ୍ଗ ଗ୍ରାମର ଜଗନ୍ନାଥ ମଲ୍ଲିକ(୨୭), ବେତିରା ଗ୍ରାମର ପ୍ରକାଶ କୁମାର ନାୟକ(୪୩) ଏବଂ ସନ୍ନ୍ୟାସୀ ଚରଣ ନାୟକ(୩୯)।
ସୂଚନାରୁ ପଡିଛି ଯେ, ବୁଧବାର ଭୋରୁ ଭୋରୁ ହାଟଡିହୀ ତହସିଲ୍ ପଛପଟ କେନାଲ ନିକଟରେ ଜଗିରହିଥିଲା ପୋଲିସ। କେନାଲ ରାସ୍ତାରେ ସ୍କୁଟିରେ ଯାଉଥିବା ୩ ଜଣ ବ୍ୟକ୍ତିଙ୍କୁ ଯାଞ୍ଚ୍ କରାଯାଇଥିଲା। ସେମାନଙ୍କ ନିକଟରୁ ଗଞ୍ଜେଇ ଭର୍ତ୍ତି ଏକ ବସ୍ତା ଜବତ କରାଯାଇଥିଲା। ଏବଂ ୨୫୦ ଗ୍ରାମ ରୁପା ଏବଂ ୭୦ ଗ୍ରାମ ସୁନା ଜବତ କରାଯାଇଛି। ଏହି ଚଢାଉରେ ଇନ୍ସପେକ୍ଟର ବଳିଆ ବାରିକ, ଏସ୍ଆଇ ବିନିତା ଲାଗ୍ରା ଓ କଳିନ୍ଦ୍ର ପ୍ରଧାନ, ଲକ୍ଷ୍ମୀ ବଳ ଏବଂ ଅନ୍ୟ ପୋଲିସ କର୍ମଚାରୀମାନେ ସାମିଲ ଥିଲେ। ହାଟଡିହୀ ତହସିଲଦାର ସଞ୍ଜୟ ସାମନ୍ତରାୟଙ୍କ ଉପସ୍ଥିତିରେ ଆଇନଗତ ପ୍ରକ୍ରିୟା ଅନୁସାରେ ଗଞ୍ଜେଇ ଏବଂ ଅଳଙ୍କାରମାନ ଜବତ କରାଯାଇଛି। ତେବେ ଏ ଗଞ୍ଜେଇର ଆମଦାନୀ-ରପ୍ତାନି ବାବଦରେ ଅନୁଧ୍ୟାନ କରାଯାଉଥିବାବେଳେ ଏଥିରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେନେଇ ତଦନ୍ତ ଚାଲିଥିବା ଥାନା ଅଧିକାରୀ ଶାନ୍ତି କହିଛନ୍ତି।